
ପ୍ରବାସୀ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ
ନୂଆପଡ଼ା, ୨୮ ଏପ୍ରିଲ (ହି.ସ.)- ନୂଆପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା ଓ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ସହ ପ୍ରବାସ ପ୍ରଥାକୁ କମେଇବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।ବବୈଠକର ଆରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ପ୍ରବାସୀ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ସମସ୍ତ ବିଭାଗ ମିଳିତ ଭାବେ ଦାୟିତ୍ୱ ନିଭାଇବା ଆବଶ୍ୟକ। ସମୟୋପଯୋଗୀ ହସ୍ତକ୍ଷେପ ଓ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଏହାକୁ ଏକ ମିଶନ ଭାବେ ଗ୍ରହଣ କରି କାର୍ଯ୍ୟ କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ। ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ବ୍ଲକ ସ୍ତରରେ ସମନ୍ୱୟ ବୈଠକ ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକ ଓ ତାଙ୍କ ପରିବାରଙ୍କ କଲ୍ୟାଣ ପାଇଁ ଗୃହୀତ ପଦକ୍ଷେପ ଓ ସଫଳତା ବିଷୟରେ ଅବଗତ କରାଯାଇଥିଲା। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୨୫ଟି ପ୍ରବାସୀ ପରିବାରକୁ ପିଆଜ ଓ ଅନ୍ୟାନ୍ୟ ଚାଷ ପାଇଁ ମୋଟ ୯୦,୬୮୮ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ଜଣାଇଥିଲେ ଯେ, ୩୪ଟି ପ୍ରବାସୀ ପରିବାରକୁ ୧୦୦୦ ଟଙ୍କା ମାସିକ ପେନସନ୍ ପ୍ରଦାନ କରାଯାଇଛି। ସେହିପରି, ୧୧ଟି ପରିବାରକୁ ୬୨,୭୦୦ ଟଙ୍କା ବ୍ୟୟରେ ପ୍ରଶିକ୍ଷଣ ଦିଆଯାଇଛି। ସିନାପାଲି ବିଡିଓଙ୍କ ଅନୁସାରେ, ୧୬୨ ଜଣ ପ୍ରବାସୀଙ୍କୁ କାମ ଯୋଗାଇ ମୋଟ ୩୮୮୮ ମାନବ-ଦିନ ସୃଷ୍ଟି କରାଯାଇଥିବା ବେଳେ ୧୪,୪୨,୪୪୮ ଟଙ୍କା ମଜୁରି ଦିଆଯାଇଛି। ମିଶନ ଶକ୍ତି ପକ୍ଷରୁ ୭୭ଟି ପ୍ରବାସୀ ପରିବାରକୁ ୮.୧୫ ଲକ୍ଷ ଟଙ୍କାର ଜୀବିକା ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ବନ ବିଭାଗ ସହିତ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ପ୍ରବାସୀ ଶ୍ରମିକ ପ୍ରଥାକୁ କମେଇବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରବାସୀ ଶ୍ରମିକମାନଙ୍କର ଏକ ସଂପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବିଭାଗ ସଂଯୁକ୍ତ ଭାବେ କାର୍ଯ୍ୟ କରି ପ୍ରବାସୀ ଶ୍ରମିକ ପ୍ରଥାକୁ ମୂଳୁଠାରୁ ଉଚ୍ଛେଦ କରିବାକୁ ସେ ଜୋର ଦେଇଥିଲେ। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା କଲ୍ୟାଣ ଅଧିକାରୀ ଦୀପ୍ତିମନ୍ତ ଭୋଇ ସହ ସମସ୍ତ ତହସିଲଦାର, ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମନ୍ୱିତ ଓ ଦୀର୍ଘକାଳୀନ ପଦକ୍ଷେପ ଗ୍ରହଣ ଉପରେ ଜୋର ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ