
ନୂଆ ଦିଲ୍ଲୀ, ୨୮ ଏପ୍ରିଲ (ହିସ) - ସୋମବାର ଅପରାହ୍ନରେ କେନ୍ଦ୍ରୀୟ ଜିଲ୍ଲାର ପାହାଡ଼ଗଞ୍ଜ ଅଂଚଳର ଏକ ଘରର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟି ଜଣେ ୬୦ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ପାଇ ଅଗ୍ନିଶମ ବାହିନୀର ଏକ ଦଳ ଘଟଣାସ୍ଥଳରେ ପହଂଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିଶମ ବିଭାଗ ଅନୁଯାୟୀ, ଚୁନା ମଣ୍ଡିର ୨୮୭୦/୪ ନମ୍ବର ଘରେ ଅପରାହ୍ନ ପ୍ରାୟ ୨:୪୦ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ଘଟଣାସ୍ଥଳକୁ ତିନୋଟି ଗାଡ଼ି ପଠାଯାଇଥିଲା। ଅପରାହ୍ନ ପ୍ରାୟ ୩:୧୦ ସମୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଘରର ତୃତୀୟ ମହଲାରେ ଗଚ୍ଛିତ ଥିବା ଘରୋଇ ସାମଗ୍ରୀରୁ ନିଆଁ ଲାଗିଥିଲା ଏବଂ ଶୀଘ୍ର ସମଗ୍ର କୋଠରୀକୁ ଗ୍ରାସ କରିଥିଲା। ଅଗ୍ନିକାଣ୍ଡ ସମୟରେ ଘରେ ଉପସ୍ଥିତ ଥିବା ଦିବ୍ୟାଙ୍ଗ ରାକେଶ (୬୦) ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ପୋଲିସ ପିସିଆର୍ ଭ୍ୟାନରେ ରାମ ମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କ ଭାଇ ନରେଶ (୫୮)ଙ୍କ ହାତ ସାମାନ୍ୟ ପୋଡ଼ି ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହେଉଛନ୍ତି।
ଘଟଣା ବିଷୟରେ ସୂଚନା ପାଇବା ପରେ, ପାହାଡ଼ଗଞ୍ଜ ପୋଲିସ ଷ୍ଟେସନ ଏବଂ ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ, ଯଦିଓ ପୋଲିସ ଏବଂ ଫୋରେନସିକ୍ ଦଳ ସଠିକ୍ କାରଣ ତଦନ୍ତ କରୁଛନ୍ତି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା, ପରିବାରକୁ ସମ୍ଭାଳିବା ପାଇଁ ସମୟ ମିଳିନଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ