
ବଲାଙ୍ଗୀର, ୨୮ ଏପ୍ରିଲ୍(ହି.ସ.) – ସର୍ବ ଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଅଳକା ଲାମ୍ବାଙ୍କ ଅନୁମୋଦନ କ୍ରମେ ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ଭାବେ ଆଗଲପୁର ବ୍ଲକର ନାରୀ ନେତ୍ରୀ ଜୟନ୍ତୀ ପଟେଲ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଏହି ନିଯୁକ୍ତିକୁ ନେଇ କଂଗ୍ରେସ ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ସ୍ୱାଗତ କରିବା ସହ ଶ୍ରୀମତୀ ପଟେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଜୟନ୍ତୀ ପଟେଲ ଜଣେ ଲଢୁଆ ନେତ୍ରୀ, ଦୀର୍ଘବର୍ଷ ହେବ ସେ ଅଂଚଳର କେବଳ ମହିଳା ନୁହନ୍ତି ଛାତ୍ର, ଯୁବକ, କୃଷକ ଓ ଶ୍ରମିକ ସମସ୍ତଙ୍କ ପାଇଁ ଅଧିକାର ର ଲଢେଇ ଲଢୁଛନ୍ତି। ସେ ଏକ କଂଗ୍ରେସ ପରିବାରରୁ ଆସିଥିବାରୁ ଏବଂ ପଂଚାୟତ ସ୍ତର ରାଜନୀତିରେ ବିଶେଷ ଅଭିଜ୍ଞତା ଥିବାରୁ ମହିଳା ସୁରକ୍ଷା ତଥା ଅଧିକାରର ଲଢେଇକୁ ଠିକ୍ ହିସାବରେ ନେତୃତ୍ୱ ନେବା ସହ ସାଧାରଣ ଜନତାଙ୍କ ସ୍ୱର ହୋଇ ଆଗାମୀ ଦିନରେ କାମ କରିବେ। ତାଙ୍କର ଏହି ଜିଲ୍ଲା ସଭାପତି ଭାବରେ ନୂତନ ନିଯୁକ୍ତି ନିଶ୍ଚିତ ଭାବରେ ବଲାଙ୍ଗୀରର ରାଜନୈତିକ ଚିତ୍ରପଟରେ ବିଶେଷ ପ୍ରଭାବ ପକାଇବ। ଆହୁରି ମଧ୍ୟ ତାଙ୍କ ନିଯୁକ୍ତି ଯୋଗୁଁ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଅଶୋକ ନନ୍ଦ, ମନୀଷ ମିଶ୍ର, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ, ଅସୀତ ମିଶ୍ର, ଉମାଶଙ୍କର ପଣ୍ଡା, କୈଳାସ ମିଶ୍ର, ଅରବିନ୍ଦ ସାହୁ, ଚାଷୀନେତା ସାନନ୍ଦ ମିଶ୍ର, ଜୁଲୁ ପଟ୍ଟନାୟକ, ଯୁବ ନେତା ଅଙ୍କିତ ସାହୁ, ଲୋପନ ମିଶ୍ର, ନାସିର ଖାନ ପ୍ରମୁଖ ଶୁଭେଚ୍ଛା ବାର୍ତା ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତୀ ପଟେଲ ୨୦୧୨ ମସିହାରେ ରାଜନୀତିରେ ଯୋଗ ଦେଇ ଆଗଲପୁର ବ୍ଲକ ଉପରବାହାଲ ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଆଗଲପୁର ବ୍ଲକର ଅଧ୍ୟକ୍ଷା ଭାବେ ସଫଳତା ସହ କାର୍ଯ୍ୟ ତୁଳାଇଥିଲେ। ପୁଣି ୨୦୧୭ ମସିହାରେ ସେ ବେନ୍ଦ୍ରା ପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ସ୍ୱାମୀ ମନମୋହନ ପଟେଲ ମଧ୍ୟ ପଂଚାୟତିରାଜ ରାଜନୀତିରେ ୨୦୦୨ ମସିହାରେ ସରପଂଚ, ୨୦୦୭ ମସିହାରେଆଇ ବ୍ଲକ ଉପାଧ୍ୟକ୍ଷ ତଥା ୨୦୧୭ ମସିହାରେ ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ ତୁଳାଇଥିଲେ । ତେଣୁ ଏକ ରାଜନୈତିକ ପରିବାର ରୁ ଶ୍ରୀମତି ପଟେଲ ଆସିଥିବାରୁ ଜିଲ୍ଲାର ମହିଳାମାନଙ୍କ ଅଧିକାର ର ଲଢେଇ ରେ ସେ ଜିଲ୍ଲାର ସଠିକ ନେତୃତ୍ୱ ନେଇ ପାରିବେ ବୋଲି ସମସ୍ତଙ୍କ ଆଶା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ