
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ମଧୁବାବୁ ଓଡ଼ିଆ ଜାତୀୟତାର ମନ୍ତ୍ରଦାତା କେବଳ ନଥିଲେ, ସେ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । କେବଳ ରାଜନୈତିକ ସ୍ୱତନ୍ତ୍ରତା ନୁହେଁ ସାମାଜିକ ଆର୍ôଥକ ସାଂସ୍କୃତିକ, ଶୈକ୍ଷିକ ଓ ସାଭ୍ୟତିକ ଦୃଷ୍ଟିରୁ ସେ ଏକ ଉନ୍ନତ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ । ଓଡିଶାର ଉପକୂଳ, ମାଳଚଂଳ ଓ ଗଡଜାତ ସବୁ ଭାଗର ଆତ୍ମିକ ଏକୀକରଣ ପାଇଁ ସେ ଉଦ୍ୟମ କରିଥିଲେ । ସେ ନିଜ ତ୍ୟାଗ, ତପସ୍ୟା, ସାଧନା ଓ ନିଷ୍ଠାପର ଉଦ୍ୟମ ବଳରେ ଓଡିଶାକୁ ଭାଷାଭିତିକ ରାଜ୍ୟ ଭାବେ ଗଠନ କରିବାରେ ସଫଳ ହୋଇଥିଲେ । ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିରାଟ ଆନ୍ଦୋଳନ ଗଢି ତୋଳିଥିଲେ । ୧୯୮୦ ଦଶକରୁ ମୃତ୍ୟୁ ପର୍ଯ୍ୟନ୍ତ ମଧୁବାବୁ ତାଙ୍କର ସମଗ୍ର ଜୀବନକୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଉତ୍ସର୍ଗ କରିଥିଲେ । ତାଙ୍କର ବିଚାରଧାରା ଲୋକଙ୍କୁ ପ୍ରଭାବିତ କରିଛି । ମଧୁବାବୁ ନଥିଲେ ଓଡ଼ିଶାର ଇତିହାସ ଆଜି ଭିନ୍ନ ହୋଇଥାନ୍ତା ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଓଡ଼ିଆ ଜାତିର ମହାନ ସନ୍ତାନ, ଆଧୁନିକ ଓଡିଶାର ରୂପକାର ତଥା ଓଡ଼ିଆ ଜାତିର କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଲୋକଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତିରେ ରାଜ୍ୟ ସଭାପତି ମନମୋହନ ସାମଲ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଜୟନ୍ତୀ ଅବସରରେ ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତା ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଓ ପାର୍ଟିର ଅନ୍ୟାନ୍ୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ କାର୍ଯ୍ୟାଳୟରେ ମଧୁବାବୁଙ୍କ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା