
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ଭୁବନେଶ୍ୱର ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ସଭାକୁ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରିଥିଲେ । ମଧୁବାବୁ ଓ ଓଡ଼ିଆ ଅସ୍ମିତା ଶୀର୍ଷକ ଆଲୋଚନାଚକ୍ରରେ ନିଜ ଅଭିଭାଷଣରେ ସଭାପତି ଶ୍ରୀ ଦାସ କହିଲେ ଯେ, ମଧୁବାବୁ ଭାଷାଭିତ୍ତିକ ଓଡ଼ିଶା ଗଠନରେ ମୁଖ୍ୟ ପୁରୋଧା ସାଜିଥିଲେ । ଅତ୍ୟନ୍ତ ସ୍ୱାଭିମାନୀ ଓ ଓଡ଼ିଆ ଅସ୍ମିତା ତାଙ୍କୁ ଯୁଗ ଯୁଗ ଧରି ଅମର କରି ରଖିବ । ସେ ନାରୀ ପ୍ରତିଭାର ବିକାଶ ଦିଗରେ ସର୍ବଦା ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ଜାତି ପ୍ରେମ ବିଷୟରେ ସମସ୍ତ ଓଡ଼ିଆ ଜାଣିବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ ।
ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟବକ୍ତା ପ୍ରଫେସର ବିଜୟ କୁମାର ବହିଦାର କହିଲେ ଯେ, ମଧୁବାବୁ ଓଡ଼ିଆ ମାନଙ୍କୁ ସ୍ୱାବଲମ୍ବି କରିବାପାଇଁ ଓଡ଼ିଶାର ଦ୍ରବ୍ୟରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା ଲକ୍ଷ୍ୟରେ ଚେଷ୍ଟିତ ଥିଲେ । ବିଭିନ୍ନ କ୍ଷେତ୍ରରେ ଅସଫଳ ହେଉଥିଲେ ମଧ୍ୟ କେବେ ପଛଘୁଞ୍ଚା ଦେଉନଥିଲେ । ତାଙ୍କୁ ଓଡ଼ିଶାର ପ୍ରାଣ କହିଲେ ଅତ୍ୟୁକ୍ତି ହେବନାହିଁ । ଜନସାଧାରଣଙ୍କ ନିମନ୍ତେ ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥା ସ୍ଥାପନ କରିବାରେ ସେ ଚେଷ୍ଟିତ ଥିଲେ । ସାମଗ୍ରୀକ ଭାବରେ ଓଡ଼ିଶାର ସଂସ୍କୃତି, ଭାଷା, ସାମାଜିକ ସଂସ୍କାର, ନାରୀ ସ୍ୱାଧୀନତା ଓ ଶିଳ୍ପାୟନ ଆଦି କ୍ଷେତ୍ରରେ ନବଜାଗରଣ ସୃଷ୍ଟି କରିଥିଲେ ।
ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ଶିବାନନ୍ଦ ରାୟ ପ୍ରମୁଖ ମଧୁବାବୁଙ୍କ ପ୍ରଭା ଓ ପ୍ରତିଭା ସମ୍ପର୍କରେ ଅବତାରଣା କରିଥିଲେ । ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ନଳିନୀ ମହାନ୍ତି ମଧ୍ୟ ନିଜ ବକ୍ତବ୍ୟ ଉପସ୍ଥାପନ କରିବା ସହ ପିସିସି ଲିଗାଲ ବିଭାଗ ସଭାପତି ଶ୍ରୀ ରତିକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା