
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଯଥାଶୀଘ୍ର ମହିଳା ସଂରକ୍ଷଣ ଆଇନ ଲାଗୁ ଦାବିରେ ପିଏମଜି ଠାରୁ ପୋଷ୍ଟ କାର୍ଡ ଚିଠି ପ୍ରେରଣ କରାଯାଇଛି। ଏହି ଅବସରରେ ମିନାକ୍ଷୀ ବାହିନୀପତି କହିଥିଲେ ଯେ ବିଜେପି ଓ ମୋଦି ସରକାର ଉଭୟ ମହିଳା ସ୍ୱାର୍ଥ ବିରୋଧି। ମହିଳା ସଂରକ୍ଷଣ ଆଇନ ଯାହାକି ନାରୀ ଶକ୍ତି ବନ୍ଦନା ଅଧିନୀୟମ-୨୦୨୩, ଯାହାକୁ ଲାଗୁ କରିବାପାଇଁ କଂଗ୍ରେସ ସମେତ ସମସ୍ତ ଅଣ ବିଜେପି ଦଳ ସମର୍ଥନ ଦେଇଥିଲେ ତାହାକୁ ତୁରନ୍ତ ଲାଗୁ କରିବାରେ ମୋଦି ସରକାର ବିଫଳ ହୋଇଛି।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା କଂଗ୍ରେସର ସମ୍ପାଦିକା ତଥା ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ଶ୍ରୀମତୀ ତୁଳିକା କର୍ମା ଯୋଗଦେଇ କହିଥିଲେ ଯେ ତୁରନ୍ତ ମହିଳା ସଂରକ୍ଷଣ ଆଇନ ଲାଗୁ କରିବାପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ପଠାଉଛୁ। ତୁରନ୍ତ ଲୋକସଭାର ବର୍ତମାନ ସ୍ଥିତିରେ ଥିବା ୫୪୩ ଆସନକୁ ନେଇ ୩୩ ପ୍ରତି ସଂରକ୍ଷଣ ଲାଗୁ କରାଯାଉ। ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୦ ଲକ୍ଷ ମହିଳା ଏହି ପତ୍ର ପଠାଇବା ପାଇଁ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ଅଳକା ଲାମ୍ବା କହିଛନ୍ତି। ଏହି ୩୩ ପ୍ରତିଶତ ସଂରକ୍ଷଣରେ ଓବିସି, ଏସସି ଏବଂ ଏସଟି ମହିଳା ମାନଙ୍କ ପାଇଁ ସଂରକ୍ଷଣ ସ୍ଥିର କରାଯାଉ। ସେ କହିଥିଲେ ଯେ କଂଗ୍ରେସ ମହିଳା ସଂରକ୍ଷଣ ଆଇନ ଲାଗୁ ହେବାରେ ପ୍ରତିବନ୍ଧକ ହେଉଛି ବୋଲି ବିଜେପି ଅପପ୍ରଚାର
କରୁଛି। ବାସ୍ତବତା କଣ ଲୋକେ ବୁଝିଛନ୍ତି। ମହିଳା ସଂରକ୍ଷଣ ଆଇନ ସହିତ ସୀମା ପୁନଃ ନିର୍ଦ୍ଧାରଣକୁ ଯୋଡ଼ି ବିଜେପି ନିଜର ଦଳୀୟ ସ୍ୱାର୍ଥ ହାସଲ କରିବାସହ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ୟାକରିବାପାଇଁ ଷଡ଼ଯନ୍ତ୍ର କରିଥିଲା। କଂଗ୍ରେସ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ଗଣତନ୍ତ୍ରର ସମ୍ମାନ ବଜାୟ ରଖିବା ସହ ମହିଳା ସଂରଣକ୍ଷ ଆଇନ ତୁରନ୍ତ ଲାଗୁ କରିବାକୁ ଦୃଢ଼ ଦାବି କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା