
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଦ୍ୱାରା ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତିକ ଲେକଚରର, ରିଡର ଏବଂ ପ୍ରଫେସରମାନଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ବୃଦ୍ଧି କରାଯାଇଛି ।
ସରକାରଙ୍କ ନିଷ୍ପତି ଅନୁସାରେ, ଚୁକ୍ତିଭିତିକ ଲେକଚରରମାନଙ୍କ ଦରମା ପ୍ରତିମାସ ୭୦,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସେହିପରି, ରିଡର ଓ ପ୍ରଫେସରମାନଙ୍କ ଦରମାରେ ମଧ୍ୟ ବୃଦ୍ଧି କରାଯାଇଛି । ରିଡରମାନଙ୍କ ଦରମା ୪୦,୦୦୦ ଟଙ୍କାରୁ ବୃଦ୍ଧି ହୋଇ ୮୦,୦୦୦ ଟଙ୍କା କରାଯାଇଥିବାବେଳେ, ପ୍ରଫେସରମାନଙ୍କ ଦରମା ୫୦,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୧ ଲକ୍ଷ ଟଙ୍କା କରାଯାଇଛି।
ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ସମ୍ମତି ମଧ୍ୟ ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଆୟୁଷ ଶିକ୍ଷା ଆହୁରି ସୁଦୃଢ଼ ହେବ ଏବଂ ଅଧ୍ୟାପକମାନଙ୍କୁ ଉତ୍ସାହିତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା