
- ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କେବଳ ଗୁଜବ
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଙ୍ଗଳବାର ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ୍ ର ଉପଯୁକ୍ତ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ପାତ୍ର ଏଚ୍ପିସିଏଲ୍, ଆଇଓସିଏଲ୍, ବିପିସିଏଲ୍, ଆଦାନୀ ଗ୍ରୁପ୍ ଆଦି ବିଭିନ୍ନ ଇନ୍ଧନ ବିତରଣକାରୀ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ସହ ରାଜ୍ୟରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଣ ସମ୍ପର୍କିତ ସ୍ଥିତି ବାବଦରେ ବିସ୍ତୃତ ଭାବେ ଅବଗତ ହୋଇଥିଲେ ।
ବୈଠକରୁ ଜଣାପଡ଼ିଛି ଯେ ବର୍ତମାନ ଘରୋଇ ରନ୍ଧନ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। ଘରୋଇ ଖାଉଟିମାନେ ଗ୍ୟାସ ସିଲିଣ୍ଡର ବୁକିଂ କରିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଗ୍ୟାସ ପାଇପାରୁଛନ୍ତି । ଗ୍ୟାସ ସଙ୍କଟ ନେଇ ଲୋକଙ୍କ ମଧ୍ୟରେ ଥିବା ଭୟ ବର୍ତମାନ ଦୂର ହୋଇଛି । ସେହିଭଳି ଅଣ-ଘରୋଇ ତଥା ବାଣିଜ୍ୟକ କ୍ଷେତ୍ରରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ସମ୍ଭବ ହୋଇପାରୁଛି । ଫଳରେ ହୋଟେଲ, ରେସ୍ତୋରାଁଗୁଡ଼ିକର ଚାହିଦା ଆନେକାଂଶରେ ପୂରଣ ହୋଇପାରୁଛି ।
ଅନ୍ୟ ପକ୍ଷରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ତେବେ ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ନେଇ କୌଣସି ସମ୍ଭାବନା ନାହିଁ । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏଭଳି ଗୁଜବଠାରୁ ଦୂରେଇ ରହିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ନିକଟରେ ୭ ହଜାରରୁ ଅଧିକ ବେଆଇନ ସିଲିଣ୍ଡର ଜବତ ହେବା ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଉପଲବ୍ଧି । ରାଜ୍ୟରେ ରନ୍ଧନ ଗ୍ୟାସ ଓ ପେଟ୍ରୋଲ-ଡିଜେଲର କଳାବଜାରୀକୁ ବରଦାସ୍ତ କରାଯିବ ନାହିଁ । ଏଥି ସହିତ ୫ କେଜି ଗ୍ୟାସ ସିଲିଣ୍ଡର ଯୋଗାଣ ବଢ଼ାଇବା ସହ ସବୁ ସହରରେ ପିଏନ୍?ଜି ଯୋଗାଣର ବ୍ୟବସ୍ଥା ବ୍ୟାପକ କରିବା ଏବଂ ସିଏସ୍ଆର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସେ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ବିଭିନ୍ନ ପ୍ରାକୃତିକ ଗ୍ୟାସ ଓ ତୈଳ ବିତରଣ କମ୍ପାନୀର ପ୍ରତିନିଧିମାନଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା