
ନୂଆଦିଲ୍ଲୀ, ଏପ୍ରିଲ ୨୮ (ହି.ସ)- ପଶ୍ଚିମବଙ୍ଗରେ ବୁଧବାର ଦିନ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪୨ଟି ଆସନରେ ମତଦାନ ହେବ। ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ ମତଦାନ ସୁନିଶ୍ଚିତ କରିବା ପାଇଁ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ୩୨.୧ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩,୨୧,୭୩,୮୩୭ ଜଣ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରୁ ୧,୬୪,୩୫,୬୨୭ ଜଣ ପୁରୁଷ, ୧,୫୭,୩୭,୪୧୮ ଜଣ ମହିଳା ଏବଂ ୭୯୨ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୧୮ ରୁ ୧୯ ବର୍ଷ ବୟସର ୪,୧୨,୬୬୮ ଜଣ ନୂଆ ଭୋଟର ପ୍ରଥମ ଥର ପାଇଁ ମତଦାନ କରିବେ।
ନିର୍ବାଚନ ଆୟୋଗ ୮୫ ବର୍ଷରୁ ଅଧିକ ବୟସର ୧,୯୬,୮୦୧ ଜଣ ଭୋଟରଙ୍କୁ ଚିହ୍ନଟ କରିଛନ୍ତି। ଇତି ମଧ୍ୟରେ, ୩,୨୪୩ ଜଣ ଭୋଟର ୧୦୦ ବର୍ଷ ବୟସ ଅତିକ୍ରମ କରିଛନ୍ତି। ଏହା ବ୍ୟତୀତ ୫୭,୭୮୩ ଜଣ ଦିବ୍ୟାଙ୍ଗ ଭୋଟର ମଧ୍ୟ ଗଣତନ୍ତ୍ରର ଏହି ବିଶାଳ ଉତ୍ସବରେ ଅଂଶଗ୍ରହଣ କରିବେ।
ଏହି ପର୍ଯ୍ୟାୟରେ ୧,୨୨୮ ଜଣ ପୁରୁଷ ଏବଂ ୨୨୦ ଜଣ ମହିଳାଙ୍କ ସମେତ ମୋଟ ୧,୪୪୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗର, ଯେଉଁଠାରେ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏଥି ସହିତ, ହୁଗୁଳି ଜିଲ୍ଲାର ଗୋଘାଟରେ କେବଳ ୫ ଜଣ ପ୍ରାର୍ଥୀଙ୍କ ସର୍ବନିମ୍ନ ପ୍ରତିଦ୍ୱନ୍ଦିତା ହେବ।
ଉତର ୨୪ ପ୍ରଗଣାର ୩୩ ଟି ଆସନରେ ଏଥର ଏକ ଉଚ୍ଚ ସ୍ତରୀୟ ନିର୍ବାଚନୀ ଲଢ଼େଇ ଦେଖିବାକୁ ମିଳିବ, ଯେଉଁଥିରେ ୭୧ ଲକ୍ଷରୁ ଅଧିକ ଭୋଟର ବଙ୍ଗଳାର ରାଜନୈତିକ ଗତିପଥ ସ୍ଥିର କରିବେ।
କ୍ଷେତ୍ରଫଳ ଦୃଷ୍ଟିରୁ ଜୋରାସାଙ୍କୋ ହେଉଛି କୋଲକାତାର ସବୁଠାରୁ ଛୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ, ଯାହାର କ୍ଷେତ୍ରଫଳ ମାତ୍ର ୩.୪୮ ବର୍ଗ କି. ମି.। ଏଥି ସହିତ, ନଦୀଆ ଜିଲ୍ଲାର କଲ୍ୟାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ୧୩୫ ବର୍ଗ କିଲୋମିଟର ବିଶିଷ୍ଟ ସର୍ବବୃହତ ନିର୍ବାଚନ ମଣ୍ଡଳୀ। ଭୋଟରଙ୍କ ସଂଖ୍ୟା ଦୃଷ୍ଟିରୁ, ଭାଟପାରା ସର୍ବନିମ୍ନ ୧୧୭,୧୯୫ ଥିବାବେଳେ ହୁଗ୍ଲିର ଚୁଂଚୁରାରେ ସର୍ବାଧିକ ୨୭୫,୭୧୫ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ