ଶୋଧିତ ବ୍ୟବହୃତ ଜଳର ପୁନଃ ବ୍ୟବହାର ନୀତି ଅଧିସୂଚିତ ,୨୦୩୬ ସୁଦ୍ଧା ୫୦% ପୁନଃ ବ୍ୟବହାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଜଳ ସ୍ଥିରତା ନିଶ୍ଚିତ କରିବା ଏବଂ ସହରାଂଚଳ ବିକାଶ କ୍ଷେତ୍ରରେ ଏକ ‘ସର୍କୁଲାର ଇକୋନୋମି’ ବା ଚକ୍ରାକାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର “ଓଡ଼ିଶା ସହରାଂଚଳ ଶୋଧିତ ବ୍ୟବହୃତ ଜଳର ପୁନଃ ବ୍
ଶୋଧିତ ବ୍ୟବହୃତ ଜଳର ପୁନଃ ବ୍ୟବହାର ନୀତି ଅଧିସୂଚିତ ,୨୦୩୬ ସୁଦ୍ଧା ୫୦% ପୁନଃ ବ୍ୟବହାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ


ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ଜଳ ସ୍ଥିରତା ନିଶ୍ଚିତ କରିବା ଏବଂ ସହରାଂଚଳ ବିକାଶ କ୍ଷେତ୍ରରେ ଏକ ‘ସର୍କୁଲାର ଇକୋନୋମି’ ବା ଚକ୍ରାକାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର “ଓଡ଼ିଶା ସହରାଂଚଳ ଶୋଧିତ ବ୍ୟବହୃତ ଜଳର ପୁନଃ ବ୍ୟବହାର ନୀତି, ୨୦୨୬” ଅଧିସୂଚିତ କରିଛନ୍ତି। ଏହି ନୀତି ବ୍ୟବହୃତ ଅପରିଷ୍କାର ଜଳକୁ କେବଳ ଏକ ବର୍ଜ୍ୟ ବସ୍ତୁ ଭାବେ ନଦେଖି ଏହାକୁ ଏକ ମୂଲ୍ୟବାନ ଅର୍ଥନୈତିକ ସମ୍ବଳରେ ପରିଣତ କରିବା ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରଦାନ କରିଛି। ଏହା ସହିତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଦେଖାଦେଉଥିବା ଋତୁକାଳୀନ ଏବଂ ସ୍ଥାନୀୟ ଜଳ ସଙ୍କଟର ସମାଧାନ ପାଇଁ ଏହା ଲକ୍ଷ୍ୟ ରଖିଛି।

୨୦୩୦ ସୁଦ୍ଧା ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକରେ ବ୍ୟବହୃତ ଜଳର ୧୦୦% ସଂଗ୍ରହ, ପରିବହନ ଏବଂ ଶୋଧନ ନିଶ୍ଚିତ କରିବା। ଏଥିସହ ଶୋଧିତ ଜଳର ଅତିକମରେ ୨୦% ପୁନଃ ବ୍ୟବହାର କରିବା।

୨୦୩୬ ସୁଦ୍ଧା ଶୋଧିତ ଜଳର ପୁନଃ ବ୍ୟବହାର ପରିମାଣକୁ ଅତିକମରେ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବା ସୂଚନାଯୋଗ୍ୟ ଯେ, ବର୍ତମାନ ଓଡ଼ିଶାରେ ଦୈନିକ ପ୍ରାୟ ୧,୧୦୪ ଏମ.ଏଲ.ଡି ବ୍ୟବହୃତ ଜଳ ନିର୍ଗତ ହେଉଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୯୦ ଏମ.ଏଲ.ଡି ଶୋଧିତ ହେଉଛି। ଏହି ବ୍ୟବଧାନକୁ ଦୂର କରିବା ପାଇଁ ନୂତନ ନୀତିରେ ଜଳ ଶୋଧନକୁ ବାଧ୍ୟତାମୂଳକ କରାଯିବା ସହ ଅଣ-ପାନୀୟ କାର୍ଯ୍ୟ ପାଇଁ ନିରାପତା ମାନକ ଅନୁଯାୟୀ ଏହାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।

ମଧୁର ଜଳ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ଶୋଧିତ ଜଳକୁ ନିମ୍ନଲିଖିତ କ୍ଷେତ୍ରରେ ବ୍ୟବହାର କରାଯିବ: ପୌର ଏବଂ ଆନୁଷ୍ଠାନିକ ବ୍ୟବହାର , ରାସ୍ତା ସଫା କରିବା, ଅଗ୍ନିଶମ ସେବା, ପରିମଳ, ବଗିଚା କାମ ଏବଂ ଏଚ.ଭି.ଏ.ସି ସିଷ୍ଟମ।ଶିଳ୍ପ ଭିତିକ ବ୍ୟବହାର : ବିଦ୍ୟୁତ କେନ୍ଦ୍ର, ବଏଲର ଫିଡ୍, କୁଲିଂ ଏବଂ ନିର୍ମାଣ କାର୍ଯ୍ୟ। ଜଳସେଚନ, ଆଦ୍ରଭୂମି ପରିଚାଳନା ଏବଂ ସହରାଂଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର।ଶୋଧିତ ଜଳର ଗ୍ରହଣୀୟତା ବଢ଼ାଇବା ପାଇଁ ଏକ ଅଭିନବ 'ଶୋଧିତ ବ୍ୟବହୃତ ଜଳ ଶୁଳ୍କ ମଡେଲ' ପ୍ରସ୍ତୁତ କରାଯାଇଛି। ଏଥିରେ ଶୋଧିତ ଜଳର ମୂଲ୍ୟ ପାନୀୟ ଜଳ ତୁଳନାରେ କମ୍ ରଖାଯିବ। ଏହାଛଡ଼ା: ଚାଷୀମାନଙ୍କ ପାଇଁ 'ୱାଟର କ୍ରେଡିଟ୍'। ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଶୁଳ୍କ ରିହାତି ଏବଂ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ସହାୟତା। ଆବାସିକ ସୋସାଇଟିଗୁଡ଼ିକ ଯଦି ଫ୍ଲସିଂ ଏବଂ ବଗିଚା କାମରେ ଏହି ଜଳ ବ୍ୟବହାର କରନ୍ତି, ତେବେ ସେମାନଙ୍କ ପାଇଁ ରିହାତିର ବ୍ୟବସ୍ଥା କରାଯାଇଛି।

ନୀତିର ସଫଳ ରୂପାୟନ ପାଇଁ ଏକ ବହୁ-ସ୍ତରୀୟ ଶାସନ ବ୍ୟବସ୍ଥା କରାଯାଇଛି। ଏହାର ଶୀର୍ଷରେ ରାଜ୍ୟ ଉଚ୍ଚ ସ୍ତରୀୟ କମିଟି ରହିବେ। ଏହାକୁ ସହଯୋଗ କରିବା ପାଇଁ ଏକ ରାଜ୍ୟ ସ୍ତରୀୟ ବୈଷୟିକ କମିଟି ଏବଂ ଏକ ସ୍ୱତନ୍ତ୍ର ‘ଶୋଧିତ ବ୍ୟବହୃତ ଜଳ ସେଲ୍’ ଗଠନ କରାଯିବ। ଜିଲ୍ଲା ସ୍ତରରେ ସମନ୍ୱୟ ରକ୍ଷା ପାଇଁ ‘ଜିଲ୍ଲା ସମନ୍ୱୟ କମିଟି’ କାର୍ଯ୍ୟ କରିବ।ନଗର ଉନ୍ନୟନ ବିଭାଗ ଏହାର ନିୟାମକ ଦାୟିତ୍ୱରେ ରହିବା ବେଳେ ଓଡବ୍ଲୁଏସଏସବି , ୱାଟକୋ ଏବଂ ପିଏଚଇଓ ଭିତ୍ତିଭୂମି ବିକାଶ ଓ ପରିଚାଳନା କରିବେ। ଓଡ଼ିଶା ଅର୍ବାନ ଏକାଡେମୀ ଦକ୍ଷତା ବିକାଶ ଏବଂ ଗବେଷଣା କାର୍ଯ୍ୟର ନେତୃତ୍ୱ ନେବ।

କେନ୍ଦ୍ର ସରକାରଙ୍କ 'ନ୍ୟାସନାଲ ଫ୍ରେମୱାର୍କ ଅନ୍ ସେଫ୍ ରିୟୁଜ୍ ଅଫ୍ ଟ୍ରିଟେଡ୍ ୱାଟର (୨୦୨୩)' ଏବଂ ‘ଅମୃତ ୨.୦’ ର ଲକ୍ଷ୍ୟ ସହିତ ସମାନ୍ତରାଳ ଭାବେ ପ୍ରସ୍ତୁତ ଏହି ନୀତି, ଓଡ଼ିଶାକୁ ସ୍ଥାୟୀ ସହରାଂଚଳ ଜଳ ପରିଚାଳନା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସ୍ଥାପିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande