
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଂଚଳରେ ଦୀର୍ଘ ୨ବର୍ଷ ଧରି ୨୪ଟିକିଆ ବଣୁଆ ହାତୀପଲ ଆତଙ୍କ ସୃଷ୍ଟି କରୁଥିବାବେଳେ ଚାଷୀମାନେ ତ୍ରାହି ତ୍ରାହି ଡାକୁଛନ୍ତି। ରାତିରେ ଏହି ବଣୁଆ ହାତୀପଲ ଗୁଡ଼ିଘାଟ ନିକଟବର୍ତୀ ଯମୁନାବାହାଲ, ଖରବାହାଲି ଗ୍ରାମର ଚାଷୀ ସୁରେନ୍ଦ୍ର ମନହିରାଙ୍କ କଦଳୀ ବଗିଚାରେ ଥିବା ୧ ହଜାରରୁ ବେଶୀ କଦଳୀ ଗଛକୁ ସମ୍ପୂର୍ଣ୍ଣ ଭାଙ୍ଗି ରୁଚି ଦଳି ଦେଇଥିଲେ। ସେହିପରି ଗ୍ରାମର ଅନ୍ୟ କଦଳୀ ଚାଷୀଙ୍କ ବହୁ କଦଳୀ ଗଛ ଓ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଚାଷୀମାନେ ଅଭିଯୋଗ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହି ୨୪ଟିକିଆ ହାତୀପଲ ବିଭିନ୍ନ ଦଳରେ ବିଭକ୍ତ ହୋଇ ବେଳେ ବେଳେ ଚାଷୀଙ୍କ ସୋଲାର ବୋରୱଲର ପ୍ୟାନେଲ ଭାଙ୍ଗୁଥିବାବେଳେ ପ୍ରବଳ ଗ୍ରୀଷ୍ମରେ ବହୁ କଷ୍ଟରେ କରିଥିବା ଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଆଉ ବେଳେବେଳେ ଗାଁ ଭିତରକୁ ପଶିଆସି ଆତଙ୍କ ମଧ୍ୟ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ଗୁଡ଼ିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇଙ୍କୁ ପଚାରିବାରୁ ଚାଷୀଙ୍କୁ କ୍ଷତିପୂରଣ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ