
ଝାରସୁଗୁଡ଼ା, ୨୯ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କେଲେଣ୍ଡାମାଲ ପଂଚାୟତର ଗୁଡିଗାଁ ଗ୍ରାମର ନିର୍ଗୁନଡିହି ପଡ଼ାରେ ଦୀର୍ଘ ୧୫ ଦିନ ଧରି ବନ୍ଦ ରହିଥିବା ପାଇପ୍ ଯୋଗେ ଜଳ ଯୋଗାଣ ଅବଶେଷରେ ପୁନର୍ବାର ଚାଲୁ ହୋଇଛି। ମଙ୍ଗଳବାର ବିଭିନ୍ନ ଖବରକାଗଜରେ ଏହି ସମସ୍ୟା ସମ୍ବନ୍ଧୀୟ ଖବର ପ୍ରକାଶ ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରିଛି।
ମଙ୍ଗଳବାର ଅପରାହ୍ନରେ ପଡ଼ାର ଷ୍ଟାଣ୍ଡପୋଷ୍ଟ ମାନଙ୍କରେ ପୁନଃ ପାଣି ଆସିବା ଆରମ୍ଭ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଛି। ବିଭାଗୀୟ ଅଧିକାରୀ ରଞ୍ଜିତାବାଲା ଦାସଙ୍କ କହିବା ଅନୁଯାୟୀ, ଟେକ୍ନିକାଲ ତ୍ରୁଟି ଦୂର କରାଯାଇଥିବାରୁ ଆଜିଠାରୁ ସାଧାରଣ ଭାବେ ଜଳ ଯୋଗାଣ ସୁନିଶ୍ଚିତ କରାଯାଇଛି।
ଉଲ୍ଲେଖ୍ୟ, ପୂର୍ବରୁ ଏହି ଅଂଚଳରେ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ନଥିବା ବେଳେ ପ୍ରାୟ ୫ ଶହ କୋଟି ଟଙ୍କା ବ୍ୟୟରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଗତ ପ୍ରତ୍ୟେକ ଘର ସମ୍ମୁଖରେ ଷ୍ଟାଣ୍ଡପୋଷ୍ଟ ସ୍ଥାପନ କରାଯାଇଥିଲା। ପ୍ରାୟ ଦେଢ଼ ମାସ ପୂର୍ବେ ଏହାର ଜଳ ଯୋଗାଣ ଆରମ୍ଭ ହୋଇଥିଲା ଏବଂ ପ୍ରଥମେ ସବୁକିଛି ସମ୍ୟକ ଭାବେ ଚାଲିଥିଲା।
କିନ୍ତୁ ହଠାତ୍ ପ୍ରାୟ ୧୫ ଦିନ ଧରି ଜଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ପଡ଼ାବାସୀମାନେ ଅସୁବିଧାରେ ପଡ଼ିଥିଲେ ଓ ପ୍ରକଳ୍ପର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠିଥିଲା। ଏବେ ସମସ୍ୟାର ସମାଧାନ ହୋଇ ପୁନର୍ବାର ଜଳ ଯୋଗାଣ ସୁଚାରୁ ହେବାରୁ ଲୋକମାନେ ସ୍ୱସ୍ଥିର ଶ୍ୱାସ ନେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ