
ଜୟପୁର, ୨୯ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟ ସେବାର ଗୁଣବତା କ୍ଷେତ୍ରରେ ଏକ ବଡ ସଫଳତା ହାସଲ କରିଛି। ଜାତୀୟ ସ୍ତରରେ ପରିଚିତ ଲକ୍ଷ, ମୁସ୍କାନ ଏବପ୍ସ ନକ୍ୱାସ (ନେସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ) ପାଇଁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି ସାର୍ଟିଫିକେଟ ମିଳିବା ପରେ ଆଜି ମୁଖ୍ୟ ଚିକିତ୍ସାଳୟରେ ଆନନ୍ଦ ଖେଳିଯାଇଥିଲା। ଡିଏମଓ ଡା.ଅକ୍ଷୟ କୁମାର ରଥ ଓ ଡା. ଦୁର୍ଗାପାତ୍ର,ଡା. ଆଶିଷ ପାଣିଗ୍ରାହୀଙ୍କ ସମେତ ସମସ୍ତ ଡାକ୍ତରଓ ହସପିଟାଲ କର୍ମଚାରୀ ଉପସ୍ଥିତ ରହି କେକ କାଟି ଉତ୍ସବ ପାଳନ କରିଥିଲେ। ଏହି ସାର୍ଟିଫିକେଟ ମିଳିବା ଫଳରେ ଜିଲ୍ଲା ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ପ୍ରସବ କେନ୍ଦ୍ରର ପରିଚାଳନା, ସ୍ୱଚ୍ଛତା ଓ ଗୁଣବତାର ମାନ ଆହୁରି ଉନ୍ନତ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଲକ୍ଷ ଯୋଜନା ମାତୃ ସୁରକ୍ଷା ଓ ପ୍ରସବ ସେବାକୁ ମଜବୁତ କରିବା ଲକ୍ଷ ରଖିଥିବା ବେଳେ ମୁସ୍କାନ ନବଜାତ ଶିଶୁ ଓ ଶିଶୁ ସେବାର ଗୁଣବତା ଉପରେ ଧ୍ୟାନ ଦେଇଥାଏ। ନକ୍ୱାସ ସମଗ୍ର ଚିକିତ୍ସାଳୟର ସାମଗ୍ରିକ ଗୁଣବତା ମାନକ ଯାଂଚ କରିଥାଏ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ କହିଛନ୍ତି ଏହି ସ୍ୱୀକୃତି ସମସ୍ତ ଡାକ୍ତର, ନର୍ସିଂ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କ କଠିନ ପରିଶ୍ରମର ଫଳ। ଏହା ଜିଲ୍ଲାର ସାଧରଣ ଜନତାଙ୍କୁ ଉନ୍ନତ ମାନର ସରକାରୀ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସହାୟକ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡା. ସୁନିଲ ପଣ୍ଡା, ଡା. ଗୌତମ ତ୍ରିପାଠୀ, ଡା. ସସ୍ମିତା ଦାସ, ଡା.ଜଗଦୀଶ ବେହେରା,ଡା. ଅରବିନ୍ଦ ନେପାକ,ଡା.ସତ୍ୟନାରାୟଣ ମିଶ୍ର, ଡା.ଦେବାଶିଷ ମହାପାତ୍ର,ଡା. ସବ୍ୟସାଚ୍ଚୀ ମହାପାତ୍ର ମ୍ୟାନେଜର ରୁପସୀ ନାୟକ, ତଥାଗତ ଦାସ, ଉମାଶଙ୍କର ଆଚାରୀ, ସପନକୁମାର ପାଣିଗ୍ରାହୀଙ୍କ ସମେତ ଅନ୍ୟ ସମସ୍ତ ନର୍ସ ଓ ଚିକିତ୍ସାଳୟ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି