
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶାମଗୁଡିଆଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି। ଶାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବୃଦ୍ଧି କରିବା ନିମନ୍ତେ ପ୍ରାୟ ୭ବର୍ଷ ହେବ ଜମି ଅଧିଗ୍ରହଣ ନିମନ୍ତେ ନୋଟିସ୍ କରାଯିବା ସହିତ ଅନେକଥର ଜମି ମାଲିକମାନଙ୍କୁ ନେଇ ବୈଠକ କରାଯାଇଛି। ମାତ୍ର ଉକ୍ତ ବୈଠକରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯାଉନାହିଁ। ବୁଧବାର ପୁନର୍ବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜମି ମାଲିକମାନଙ୍କ ସହିତ ୫ଟି ବିଷୟରେ ଆଲୋଚନା ଥିଲା। ମାତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁ ଡେପୁଟି କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଜମି ମାଲିକମାନେ ବାରମ୍ବାର ସଭାକୁ ଆସୁଥିଲେ ମଧ୍ୟ କୈାଣସି ନିଷ୍ପତି ଗ୍ରହଣ କରାଯାଉନଥିବାରୁ ଜମି ମାଲିକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗତ ୭ବର୍ଷ ମଧ୍ୟରେ ଉକ୍ତ ଜମି ଗୁଡିକର ବିକ୍ରୀ ଖର୍ଦ୍ଦୀ ହୋଇ ନପାରିବା ଏବଂ ପାଣି ବାଟ ବନ୍ଦ ହୋଇଥିବାରୁ ଚାଷ ଅନୁପଯୁକ୍ତ କରାଇ ପଡିବାରୁ ଲୋକମାନେ ଚାଷ ନ କରିପାରୁଥିବାରୁ କେତେକ ଜମି ମାଲିକ ସଭାରେ ହୋ ହାଲ୍ଲା କରିଥିଲେ । ତେବେ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି ଡେପୁଟି କଲେକ୍ଟର ଜମି ମାଲିକଙ୍କୁ ସାନ୍ତ୍ୱନା ଦେଇଥିବା ଜଣାପଡିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି