
ଝାରସୁଗୁଡ଼ା, ୨୯ ଏପ୍ରିଲ୍ (ହି.ସ.) - ରାଜ୍ୟର କେନ୍ଦୁପତ୍ର ଉତ୍ପାଦନ ହେଉଥିବା ୧୯ଟି ଡିଭିଜନରେ ଏପ୍ରିଲ ୧୦ରୁ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର କେନ୍ଦୁପତ୍ର କେରି ପ୍ରତି ଦର, ବୋନସ ଓ ମାସିକ ମଜୁରୀ ଘୋଷଣା କରିନଥିବାରୁ ତୋଳାଳୀ ଓ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି ଏହାକୁ ଐତିହାସିକ ବିଳମ୍ବ ବୋଲି କହିଥିବାବେଳେ, ପୂର୍ବରୁ ଫେବୃଆରୀ-ମାର୍ଚ୍ଚରେ ଏହି ସମସ୍ତ ଘୋଷଣା ହୋଇଆସୁଥିବା ସତ୍ୱେ ଏବର୍ଷ ହୋଇନଥିବାରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ୨୦୨୪ ଜୁଲାଇ ୧୮ରେ ସରକାର ସର୍ବନିମ୍ନ ମଜୁରୀ ଘୋଷଣା କରିଥିଲେ ମଧ୍ୟ ଦୁଇ ବର୍ଷ ହେଲା ତାହା ଅନୁଯାୟୀ ମାସିକ ଦର ନିର୍ଦ୍ଧାରିତ ହୋଇନାହିଁ। ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ ପ୍ରତି ଦର ବୃଦ୍ଧି ହୋଇନଥିବା ସହ ମୃତ୍ୟୁକାଳୀନ ସହାୟତା ମଧ୍ୟ ବଢ଼ାଯାଇନାହିଁ।
ସଂଘର ଅଭିଯୋଗ ଅନୁସାରେ, ଏହି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବନମନ୍ତ୍ରୀଙ୍କ ସହ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସଫଳତା ମିଳିନାହିଁ। ଗତ ଫେବୃଆରୀ ୨୦ ଓ ୨୧ରେ ପ୍ରାୟ ୧୦୦ଟି ରେଞ୍ଜରେ ଗଣଧାରଣା ହୋଇଥିବା ସହ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା।
ତଥାପି ଦାବୀ ପୂରଣରେ ବିଳମ୍ବ ହେବାରୁ ଆସନ୍ତା ମଇ ୧ରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଲକ୍ଷାଧିକ ତୋଳାଳୀ ଓ ଶ୍ରମିକ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିବେ। ଏହା ପରେ ମଇ ୨ରେ ରାଜ୍ୟର ପ୍ରାୟ ୨୦୦୦ ଗ୍ରାମ ପଂଚାୟତରେ ଗଣଧାରଣା କରାଯିବ ବୋଲି ସଂଘର ସଂଗଠନ ସାଧାରଣ ସମ୍ପାଦକ ସଂଜିତ ମହାନ୍ତି ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଡିଭିଜନରେ ୮୬ଟି ଗ୍ରାମ ପଂଚାୟତ ସହ ମ୍ୟୁନିସିପାଲିଟି ଅଂଚଳରେ ହଜାର ହଜାର ତୋଳାଳୀ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଡିଭିଜନ ସମ୍ପାଦକ ପ୍ରଦୀପ ସାହୁ କହିଛନ୍ତି।
ସରକାର ଶୀଘ୍ର ଦାବୀଗୁଡ଼ିକ ପୂରଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ