



ସମ୍ବଲପୁର, ୨୯, ଏପ୍ରିଲ୍ (ହି.ସ.) ପାଶ୍ଚାତ୍ୟରେ ଚାଲିଛି ଯୁଦ୍ଧ ବିଭୀଷିକା। ତେଣୁ ବିଶ୍ୱ ବଜାରରେ ପରିବହନକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ବେଳେ ତୈଳ ପରିବହନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଏହାର ପ୍ରଭାବ ଖୋଲାଖୋଲି ଭାବେ ଦେଶବାସୀ ଅନୁଭବ କରିବା ପୂର୍ବରୁ କିଛି କଳା ବେପାରୀ ସେମାନଙ୍କ କାରନାମା ଆରମ୍ଭ କରିଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ପଂଚାୟତ ବସଷ୍ଟାଣ୍ଡ ନିକଟରେ ରହିଛି ଇଣ୍ଡିଆନ ଅଏଲର ଏକ ପେଟ୍ରୋଲ ପମ୍ପ। ଏହି ପମ୍ପରେ ଗତ ଦୁଇ ଦିନ ଧରି ପେଟ୍ରୋଲର କୃତ୍ରିମ ଅଭାବ ଦେଖିବାକୁ ମିଳୁଛି। ଯାହା ଫଳରେ ମୋଟର ସାଇକେଲ, ସ୍କୁଟି, ଅଟୋ, କାର୍ ଓ ଅନ୍ୟାନ୍ୟ ଭାରିଜାନ ଚଳାଚଳରେ ପେଟ୍ରୋଲ ଅଭାବ ଜନିତ କାରଣ ଏକ ପ୍ରକାରର ଅନିଶ୍ଚିତତା ଆଶଙ୍କାକୁ ବଢାଇ ଚାଲିଛି। ଗତ ଦୁଇଦିନ ଧରି ଭୋଜପୁର ପେଟ୍ରୋଲ ପମ୍ପରୁ ପେଟ୍ରୋଲ ମିଳୁନଥିବା ବେଳେ ପେଟ୍ରୋଲ ପକାଇବା ଆଶାରେ ଆସୁଥିବା ଯାନବାହାନ ଶେଷ ସମୟରେ ଏକ ପ୍ରକାର ହତାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ପମ୍ପରୁ ପେଟ୍ରୋଲ ବା ଡିଜେଲ ମିଳୁନଥିବା ବେଳେ କର୍ମଚାରୀଙ୍କୁ ପଚାରିଲେ ହେଇଆସୁଛି, କାଲି ଆସିବ, ବାଟରେ ଗାଡ଼ି ଖରାପ୍ ହୋଇଯାଇଛି ଭଳି ମିଥ୍ଯା ପ୍ରତିଶ୍ରୁତି ଓ ସୂଚନା ଦେଉଥିବା ଯୋଗୁଁ ପେଟ୍ରୋଲ ଡିଜେଲ ଆଶାରେ ଆସି ହତାଶ ହୋଇ ଫେରୁଥିବା ଗାଡି ଚାଳକ ଓ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି କ୍ଷ ଏହି ପେଟ୍ରୋଲ ପମ୍ପରେ ଥରେ ଅଧେ ନୁହେଁ, ବାରମ୍ବାର ବିଭିନ୍ନ ସମୟରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହୁନଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏହି ଅଂଚଳରୁ ଭୋଜପୁର, ମାତାମହୁଲ, ଡ଼ିମିରିମୁଣ୍ଡା, ଆଶ୍ରମ, ରେଙ୍ଗାଳବେଡା, ଗୁଦ୍ରାପଡ଼ା, ଟାଙ୍ଗରାଣୀ, ବଡ଼ମାଳ, ତଥା ଦେବଗଡ଼ ଜିଲ୍ଲାର ଅନେକ ଗ୍ରାମବାସୀ ଏହି ପେଟ୍ରୋଲ ପମ୍ପକୁ ହିଁ ଭରସା କରିଥାନ୍ତି। ଚାଷ ଠୁଁ ଧରି ସମସ୍ତ କାର୍ଯ୍ୟରେ ସ୍ଥାନୀୟ ଅଂଚଳବାସୀ ଏହି ପେଟ୍ରୋଲ ପମ୍ପ ଉପରେ ଭରସା ରଖୁଥିବା ବେଳେ ବିଭିନ୍ନ ସମୟରେ ଏହି ପେଟ୍ରୋଲ ପମ୍ପର ମାଲିକଙ୍କ ମେରୀରାୟ ନୀତି ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି। ଅପରପକ୍ଷେ ଏହି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ମିଳୁନଥିବା ବେଳେ କିଛି କଳା ବେପାରୀ ଡ୍ରମ୍ ଡ୍ରମ୍ ତେବେ ଏଠାରୁ ନେଇ ଆଖପାଖ ଅଂଚଳର ଛକ ସ୍ଥାନରେ ମାତ୍ରାଧିକ ଚଢା ଦରରେ ପ୍ଲାଷ୍ଟିକ ବୋତଲରେ ପୁରାଇ ବିକ୍ରି କରିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଛି। ଆଜିର ଘଟଣା କ୍ରମରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ଥିବା ବେଳେ ପେଟ୍ରୋଲ ପମ୍ପ ଗେଟ୍ ନିକଟରେ ଜଣେ ବ୍ୟକ୍ତି ପ୍ଲାଷ୍ଟିକ ବୋତଲରେ ୧ ଲିଟର ପିଛା ୧୨୦ ଟଙ୍କା ଦରରେ ଖୋଲାଖୋଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ମହାପାତ୍ରଙ୍କୁ କିଛି ସାମ୍ବାଦିକ ଫୋନ୍ କରିଥିଲେ। ସାମ୍ବାଦିକମାନେ ତାଙ୍କୁ ଏସମ୍ପର୍କରେ ଫୋନ୍ କରୁଥିବା ସୁରାକ୍ ପାଇବା ମାତ୍ରେ ନଟ୍ ରିଚେବଲ, ବିଜି କହୁଥିବା ମୋବାଇଲଟି ହଠାତ୍ ସୁଇଚ୍ ଅଫ୍ କହିବା ସମ୍ଭବତଃ ତାଙ୍କ ଜାଣତରେ ଏହି ପେଟ୍ରୋଲ କଳାବଜାରୀ ହେଉଥିବା ପରୋକ୍ଷରେ ପ୍ରମାଣିତ କରାଉଛି। ଏ ଦିଗରେ ଜିଲ୍ଲା ଯୋଗାଣ ଅଧିକାରୀ ତୁରନ୍ତ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ