
ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ଆସନ୍ତା ରବି ଧାନ କ୍ରୟ ଋତୁ-୨୦୨୬କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ଅଭିମନ୍ୟୁ ସେଠୀ ପ୍ୟାଡି ପ୍ରକ୍ୟୁରମେଂଟ ଉପରେ ଆଲୋକପାତ କରିବା ସହ ଭଦ୍ରକରେ ମଲ୍ଟି ପର୍ପୋଜ୍ ପ୍ୟାକ୍ସ ଓ ପ୍ରତ୍ୟେକ ବ୍ଲକରେ ମଡେଲ ମଣ୍ଡି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମବାୟ ସମିତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଚଳିତ ବର୍ଷ ରବି ଫସଲ ପାଇଁ ଚାଷୀମାନେ କିପରି ଉପକୃତ ହେବେ ଓ ଉଭୟ ଧାନ ଓ ଚାଉଳ ପାଇଁ ଗୋଦାମ ସୁବିଧା କରିବାକୁ ବିଶେଷ ଭାବରେ ଗୁରୁତ୍ୱାରୋପ କରିଥିଲେ। ଏହି କମିଟି ବୈଠକରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ପ୍ରତିନିଧି, ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ ଦାସ, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଓ ଭଦ୍ରକ ମିଲର ସଂଘର ସମ୍ପାଦକ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ୟାଡି ପ୍ରକ୍ୟୁରମେଂଟ ଉପରେ ନିଜର ବହୁମୂଲ୍ୟ ତଥ୍ୟ ରଖିଥିଲେ। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମିଲର, ଚାଷୀ, ସିଭିଲ ସପ୍ଲାଇ ଅଫିସର କର୍ମଚାରୀ, କୃଷି ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ପ୍ରକାଶଯୋଗ୍ୟ ଯେ ଜିଲ୍ଲାର ସାତୋଟି ବ୍ଲକରେ ମୋଟ ୬୫୯୮.୨ ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ ୩୨୬୩୯.୧ ମେଟ୍ରିକ ଟନ ଧାନ ଉତ୍ପାଦନ ହେବାର ଆନୁମାନ କରାଯାଇଛି। ସେଥିରୁ ୧୮୫୦୧.୦୯ ମେଟ୍ରିକ ଟନ ବଜାରଯୋଗ୍ୟ ଧାନ ସରକାରୀ କ୍ରୟ ପାଇଁ ଉପଲବ୍ଧ ହେବ ବୋଲି ଅନୁମାନ ହୋଇଛି। ବ୍ଲକ ଭିତିକ ଆକଳନ ଅନୁଯାୟୀ ବନ୍ତ, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଲକରେ ଅଧିକ ପରିମାଣର ବଜାରଯୋଗ୍ୟ ଧାନ ଉପଲବ୍ଧ ହେବାର ସମ୍ଭାବନା ରହିଛି। ଚାଷୀ ନିବନ୍ଧନ କାର୍ଯ୍ୟକ୍ରମରେ ଜମି ଯାଂଚ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ବ୍ୟାଙ୍କ ଖାତା ଯାଂଚ ପ୍ରକ୍ରିୟା ଚାଲିଛି। ସନ୍ଦିଗ୍ଧ ଜମି ତାଲିକା ମିଳିବା ପରେ ଓପିଏଲଏସ୍ ମାଧ୍ୟମରେ ଅତିରିକ୍ତ ଯାଂଚ କରାଯିବ ବୋଲି ଜଣାପଡ଼ିଛି। ସରକାର ଘୋଷିତ ନ୍ୟୁନତମ ସହାୟକ ମୂଲ୍ୟ ଅନୁଯାୟୀ ସାଧାରଣ ଏଫଏକ୍ୟୁ ଧାନ ପାଇଁ କ୍ୱିଂଟାଲ ପିଛା ୨୩୬୯ ଟଙ୍କା ଏବଂ ‘ଏ’ ଗ୍ରେଡ ଧାନ ପାଇଁ ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ଇନପୁଟ ସହାୟତା ଯୋଗ ହେବାରୁ ସାଧାରଣ ଧାନ ପାଇଁ ଚାଷୀମାନେ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପାଇବେ। ରବି ଧାନ ସଂଗ୍ରହ ବର୍ଷ ୨୦୨୫-୨୬ ପାଇଁ ଭଦ୍ରକ ଜିଲ୍ଲାରେ ମୋଟ ୨୯୦୬ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। ଏହି ସଂଗ୍ରହ କାର୍ଯ୍ୟରେ ଜିଲ୍ଲାର ୩୨ଟି ପିପିସି ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୨୬ଟି ପାକ୍ସ ଓ ୬ଟି ଡବ୍ଲ୍ୟୁଏସଏଚଜି ସମ୍ମିଳିତ ଅଛନ୍ତି। ବ୍ଲକ ଭିତିକ ଭାବେ ଧାମନଗର ବ୍ଲକରେ ସର୍ବାଧିକ ୯୫୨ ଜଣ ଚାଷୀ, ବାସୁଦେବପୁରରେ ୪୮୨, ବନ୍ତରେ ୪୨୮, ବି. ପୋଖରୀରେ ୮୮୯, ଭଦ୍ରକରେ ୯୨, ଚାନ୍ଦବାଲିରେ ୬ ଏବଂ ତିହିଡିରେ ୫୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ