
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ବଳାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗ୍ରାମାଂଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ରାସ୍ତା କାମ ନିମ୍ନମାନର ଯୋଗୁଁ ରାସ୍ତାଗୁଡ଼ିକ ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଶୋଚନୀୟ ହୋଇପଡୁଛି। ବଙ୍ଗୋମୁଣ୍ଡା-ଟିଟିଲାଗଡ଼ ୨୧୭ ନମ୍ବର ଜାତୀୟ ରାଜପଥରୁ ଗୋଇମୁଣ୍ଡ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇ ରାସ୍ତା ନିର୍ମାଣ କରାଯାଇଛି। ରାସ୍ତା ପିଚୁ କାମ ସହିତ ଗୋଇମୁଣ୍ଡ ଗ୍ରାମ୍ୟ ବସ୍ତି କଂକ୍ରିଟକରଣ କରାଯାଇଛି। ରାସ୍ତାର ପିଚୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ରାସ୍ତା କଂକ୍ରିଟ କରାଯାଇଥିବାବେଳେ ଅତି ନିମ୍ନ ମାନର ଯୋଗୁଁ ରାସ୍ତା ତିଆରି ହେବାର ୨୪ ଘଂଟା ନପୁରୁଣୁ ଅନେକ ସ୍ଥାନରେ ଫାଟ ହୋଇଯାଇଛି। ନିମ୍ନ ମାନର ରାସ୍ତା କାମ ହୋଇଥିବା ଅଭିଯୋଗ ପରେ ମଧ୍ୟ ଠିକାଦାର କର୍ଣ୍ଣପାତ ନକରି କଂକ୍ରିଟ କାମ କରିଥିଲେ। ଏବେ କଂକ୍ରିଟ ରାସ୍ତାର ଅନେକ ସ୍ଥାନରେ ଫାଟ ଦେଖାଦେଇଛି। ରାସ୍ତାର ସ୍ଥାୟୀତ୍ୱ ନେଇ ଆଶଙ୍କା ଦେଖାଦେଇଥିବା ବେଳେ କଂକ୍ରିଟ କାମ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ