
ଝାରସୁଗୁଡା, ୨୯ ଏପ୍ରିଲ: ଜିଲ୍ଲାରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ସୁଧାର ପଥରେ ଥିବା ସତ୍ତ୍ୱେ ଝାରସୁଗୁଡା ସହର ଓ ଲଖନପୁର ବ୍ଲକରେ ଏହା ୯୫୦ରୁ କମ ରହିବା ନେଇ ଜିଲ୍ଲା ପରିଷଦରେ ଚିନ୍ତା ବ୍ୟକ୍ତ ହୋଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚାୱନଙ୍କ ଅଧ୍ୟକ୍ଷତାରେ ପିସି ଓ ପି ଏନ୍ ଡି ଟି ଆକ୍ଟ ସମ୍ପର୍କିତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକରେ ଏହି ବିଷୟ ଗୁରୁତ୍ୱ ସହ କଥା ହୋଇଛି।
ସି ଡି ଏମ ଓ ପି ଏଚ ଓ ଙ୍କ ଆହ୍ୱାନରେ ଆୟୋଜିତ ଏହି ବୈଠକରେ ଲିଙ୍ଗ ଅନୁପାତ ଉନ୍ନତି ପାଇଁ ଏକାଧିକ ପଦକ୍ଷେପ ନିର୍ଦ୍ଦେଶ ଦିଆଯାଇଛି। କନ୍ୟା ସନ୍ତାନର ମହତ୍ତ୍ୱ ବିଷୟରେ ସଚେତନତା କାର୍ଯ୍ୟକ୍ରମ (ଆଇ ସି ଇ/ବି ସି ସି)କୁ ଜୋରଦାର କରିବା, ଗର୍ଭାବସ୍ଥା ସମୟରେ ଏ ଏନ୍ ସି ପରାମର୍ଶକୁ ସୁଦୃଢ଼ କରିବା ଓ ଲିଙ୍ଗ ଚୟନ ପ୍ରଥା ବିରୋଧରେ ସତର୍କତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ତଦୁପରି, ପ୍ରତିମାସ ବ୍ଲକ ସ୍ତରରେ ସମୀକ୍ଷା ବୈଠକ ଆୟୋଜନ, କମ ପ୍ରଦର୍ଶନ କରୁଥିବା ଅଞ୍ଚଳରେ କ୍ଷେତ୍ରସ୍ତରୀୟ ନିରୀକ୍ଷଣ ବଢ଼ାଇବା ଓ ପି ଆର୍ ଆଇ ସଦସ୍ୟ ସହ ସାମୁଦାୟିକ ନେତାଙ୍କ ସହଭାଗୀତା ସୁନିଶ୍ଚିତ କରିବାକୁ କହାଯାଇଛି। କମିଟି ଅଲଟ୍ରାସାଉଣ୍ଡ ୟୁନିଟଗୁଡ଼ିକର ଅଚାନକ ଓ କଡ଼ା ନିରୀକ୍ଷଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଘରୋଇ ଅଲଟ୍ରାସାଉଣ୍ଡ ୟୁନିଟମାନଙ୍କୁ ପି ଏମ ଏସ ଏମ ଏ ନିୟମାବଳୀ ଅନୁସାରେ ସମ୍ମାନଜନକ ମାତୃତ୍ୱ ସେବା ଯୋଗାଇବାକୁ ନିର୍ଦ୍ଦେଶ ମିଳିଛି। ବୈଠକରେ ପିସି ଓ ପି ଏନ୍ ଡି ଟି ଆକ୍ଟ ଅଧୀନରେ ପଞ୍ଜୀକରଣ ପାଇଁ ବିଚାରାଧୀନ ଆବେଦନ ଓ ଚାଲୁଥିବା ଅଲଟ୍ରାସାଉଣ୍ଡ ୟୁନିଟମାନଙ୍କ ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଛି। ଉଲ୍ଲେଖନୀୟ ଯେ, ପିସି ଓ ପି ଏନ୍ ଡି ଟି ଆକ୍ଟ ଅନୁଯାୟୀ ଲିଙ୍ଗ ନିର୍ଦ୍ଧାରଣ ଓ ଲିଙ୍ଗ ଭିତ୍ତିକ ଗର୍ଭପାତ କାନୁନଗତ ଭାବେ ନିଷିଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ