
ଝାରସୁଗୁଡ଼ା, ୨୯ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଏମଏଫ୍ କନଫରେନ୍ସ ହଲ୍ରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସହରରେ ବଢ଼ୁଥିବା ଟ୍ରାଫିକ୍ ଅସୁବିଧା, ସଡ଼କ ଦୁର୍ଘଟଣା ଓ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟିରେ ରଖି ବୈଠକରେ କିଛି ଦୃଢ଼ ଓ କଡ଼ା ନିଷ୍ପତି ଗ୍ରହଣ କରାଯାଇଛି।
ବୈଠକରେ ରାସ୍ତାକଡ଼ରେ ବେଆଇନ ଭାବେ ପାର୍କିଂ କରୁଥିବା ଗାଡ଼ିମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆର.ଟି.ଓ କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଶିଳ୍ପାଂଚଳରେ ବଢ଼ୁଥିବା ଧୂଳି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମସ୍ତ ଶିଳ୍ପ ପ୍ରତିଷ୍ଠାନକୁ ନିଜ ଅଂଚଳର ସଡ଼କ ପାର୍ଶ୍ୱ ସଫା ଓ ସୁଚ୍ଛ ରଖିବାକୁ କୁହାଯାଇଛି।
ସଡ଼କ ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ଆର.ଟି.ଓ ଅଫିସ୍ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କଂଟାପାଲି ଏବଂ ପ୍ରସନ୍ନ ପଣ୍ଡା ଚକ ପର୍ଯ୍ୟନ୍ତ ‘ରମ୍ବଲ ଷ୍ଟ୍ରିପ୍’ (ହାର୍ଡ ପ୍ଲାଷ୍ଟିକ୍ ସ୍ପିଡ୍ ବ୍ରେକ)ର୍ ସ୍ଥାପନ କରାଯିବ। ଏହି କାମ ୧୦ ଦିନ ମଧ୍ୟରେ ସମାପ୍ତ କରିବାକୁ ଏନ୍ ଏଚ ଏ ଆଇ କୁ ନିର୍ଦ୍ଦେଶ ମିଳିଛି।
ଏହାସହ ରାସ୍ତା ମଧ୍ୟରେ ଖରାପ ହୋଇ ପଡ଼ିଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଓ ଏମ ପି ଏଲ ପକ୍ଷରୁ ହାଇଡ୍ରା (କ୍ରେନ୍) ସେବା ଯୋଗାଇବା ବ୍ୟବସ୍ଥା କରାଯିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବେଦାନ୍ତ, ଏମସିଏଲ ଓ ଓପିଜିସି ପରି ବଡ଼ କମ୍ପାନୀଗୁଡ଼ିକୁ ନିଜ ପ୍ଲାଂଟ ମଧ୍ୟରେ ଶ୍ରମିକଙ୍କ ପାଇଁ ‘କୁଲିଂ ସେଡ୍’ ନିର୍ମାଣ କରିବାକୁ କୁହାଯାଇଛି। ଏହାର ନିୟମିତ ଯାଂଚ କରିବେ ଆର୍ ଟି ଓ କର୍ମଚାରୀମାନେ।
ଅନ୍ୟପଟେ ବ୍ରଜରାଜନଗର ଟ୍ରକ୍ ଟର୍ମିନାଲକୁ ସଚଳ କରିବା ପାଇଁ ଏନଜିଓ ମାନଙ୍କୁ ନିଯୁକ୍ତ କରିବା ଓ ଫି ସଂଗ୍ରହ ପାଇଁ ଅଲଗା ବ୍ୟାଙ୍କ ଖାତା ଖୋଲିବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳ କହିଛନ୍ତି, ଏହି ସମସ୍ତ ପଦକ୍ଷେପ ଜନସାଧାରଣଙ୍କ ସୁରକ୍ଷା ଓ ସହରର ଶୃଙ୍ଖଳା ରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ। ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ