
ଝାରସୁଗୁଡା, 29 ଏପ୍ରିଲ୍ (ହି.ସ.) : ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ଦିନର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୂର୍ଯ୍ୟାଂଶୁ ଋତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଡେପୁଟି ସିଇଓ ଓରମାସ ଯୁବରାଜ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଡିପିଏମ ଓଏଲଏମ ଡ଼. ପୁଷ୍ପଶ୍ରୀ ନାୟକ ଏବଂ ସୁରକ୍ଷା ଅଧିକାରୀ ମିନାକ୍ଷୀ ରାଜ ପ୍ରଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ ଅନୁଷ୍ଠାନର ଶୁଭାରମ୍ଭ କରିଥିଲେ।
ସନ୍ଧ୍ୟାର କାର୍ଯ୍ୟକ୍ରମରେ ବିଭିନ୍ନ ଦଳ ଓ ସଂସ୍ଥାଙ୍କ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶିତ ହୋଇଥିଲା। ଯବାନ କ୍ଲବ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ, ବେହେରାମାଲ ଆଶ୍ରମ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ଓ କୋରାପୁଟିଆ ଢେମସା, ପଲ୍ଲବୀ ଡ୍ୟାନ୍ସ ଗ୍ରୁପଙ୍କ ପ୍ରଦର୍ଶନ, କରଞ୍ଜିଆର ମଲଖମ୍ବ, ଦୁର୍ଗା ଗ୍ରୁପଙ୍କ ପାଇକ ନୃତ୍ୟ, ରାଇଜ ଅଫ ଡ୍ୟାନ୍ସ ଏକାଡେମୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଷ୍ଟ କୁଇକ ଡ୍ୟାନ୍ସ ସହିତ ପୁରୁଣା ସମ୍ବଲପୁରୀ ମେଲୋଡି ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା।କାର୍ଯ୍ୟକ୍ରମକୁ ଉଦଘୋଷକ ରୁପେଶ ସାହୁ ଓ ଉଦଘୋଷିକା ସ୍ୱେଜଲ ପ୍ରଧାନ ଏବଂ ପ୍ରତୀକ୍ଷା ତ୍ରିପାଠୀ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଆୟୋଜକ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱରଞ୍ଜନ ନାୟକଙ୍କ ଆବାହକତ୍ୱରେ ଦ୍ୱିତୀୟ ଦିନର ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ