
ଧର୍ମଶାଳା,୨୯ଏପ୍ରିଲ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରୁଦ୍ରପୁର ପଂଚାୟତସ୍ଥ ବଡବାଗସାହିଠାରେ ଚଳିତମାସ ୧୨ତାରିଖ ରବିବାର ରାତି ପ୍ରାୟ ୮ଟା ସମୟରେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ କରିବା ସହିତ ଯୁବକଙ୍କ ନିକଟରେ ଥିବା ୧ଲକ୍ଷ ଟଙ୍କା ନେଇ ୬ଜଣ ଯୁବକ ଫେରାର ହୋଇଯାଇଥିବା ନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଝାଲପଡା ପଂଚାୟତସ୍ଥ ନିଳକଣ୍ଠପୁର ଗ୍ରାମର ଅରକ୍ଷିତ ଦାସଙ୍କ ପୁଅ ଅଭିମନ୍ୟୁ(୩୫)ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମବରଦା ପୁଲିସ ଘଟଣାସ୍ଥଳରେ ପଂହଚି ଅଭିମନ୍ୟୁଙ୍କୁ ଉଦ୍ଧାର କରି ଆମ୍ବୁଲନ୍ସରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲା । ଏହି ଘଟଣାରେ ସ୍ଥାନୀୟ ଅଂଚଳର ୬ଜଣ ଯୁବକଙ୍କ ନାମରେ ବ୍ରହ୍ମବରଦା ଥାନାରେ ଗୁରୁତର ଯୁବକଙ୍କ ଖୁଡି ସରସ୍ୱତୀ ଦାସ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ୭୪ା୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖି ଥିଲା । ତେବେ ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଦ୍ୱୟ ହେଲେ ନୀଳକଣ୍ଠପୁର ଗ୍ରାମର ନିରଞ୍ଜନ ଗନ୍ତାୟତଙ୍କ ପୁଅ ଶରତ(୪୨) ଓ ଗଗନ ଜେନାଙ୍କ ପୁଅ ରଂଜିତ ଓରଫ ବାବୁ(୪୬) ବୋଲି ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡିଛି ।ସୂଚନା ଥାଉକି,ଚଳିତ ମାସ ୧୨ତାରିଖ ରବିବାର ରାତି ପ୍ରାୟ ୮ଟା ସମୟରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ପଂଚାୟତସ୍ଥ ନିଳକଣ୍ଠପୁର ଗ୍ରାମର ଅରକ୍ଷିତ ଦାସଙ୍କ ପୁଅ ଅଭିମନ୍ୟୁ ଏକ ବାଇକ୍ରେ ବ୍ରହ୍ମବରଦା ଅଂଚଳରୁ ଜଣେ ବାଦାମ ବେପାରୀଙ୍କଠାରୁ ବାଦାମ ବିକା ହୋଇଥିବା ୧ଲକ୍ଷ ଟଙ୍କା ଧରି ଘରକୁ ଫେରିବା ସମୟରେ ବଡବାଗସାହି ନିକଟରେ ନିଳକଣ୍ଠପୁର ଗ୍ରାମର ମାନସ ଜେନାଙ୍କ ପୁଅ ଦିଲ୍ଲିପ ତାଙ୍କୁ ପ୍ରଥମେ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ନିକଟରେ ଥିବା ଦିଲ୍ଲିପଙ୍କର ୫ ଜଣ ସହଯୋଗୀ ଘଟଣାସ୍ଥଳରେ ପଂହଚି ତାଙ୍କୁ କୋଦାଳ ବେଂଟ,ଲୁହା ରଡ ଓ ଭୁଜାଲିରେ ସଂଘବଦ୍ଧଭାବେ ଆକ୍ରମଣ କରି ଅଭିମନ୍ୟୁଙ୍କ ନିକଟରେ ଥିବା ୧ଲକ୍ଷ ଟଙ୍କା ନେଇ ସମସ୍ତେ ଫେରାର ହୋଇଯାଇଥିଲେ । ଖବର ପାଇ ବ୍ରହ୍ମବରଦା ପୁଲିସ ଘଟଣାସ୍ଥଳରେ ପଂହଚି ଅଭିମନ୍ୟୁଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲରେ ଭର୍ତି କରିଥିଲା । ଏନେଇ ରବିବାର ବିଳମ୍ବିତ ରାତିରେ ଖୁଡି ସରସ୍ୱତୀ ଦାସ ୬ଜଣ ଯୁବକଙ୍କ ନାମରେ ଅଭିଯୋଗ କରି ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ