
ଗ୍ୱୌହାଟୀ, ୦୩ ଏପ୍ରିଲ (ହି.ସ.)। ଆସାମରେ
ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିଛି ।
ପାର୍ଟିର ଅନେକ ବରିଷ୍ଠ ନେତା ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନସଭାକୁ ସମ୍ବୋଧନ କରିବେ।
ବିଜେପିର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ଆଜି ପୁଣିଥରେ ଆସାମରେ
ପହଞ୍ଚୁଛନ୍ତି। ସେ କମଲପୁର,
ମଙ୍ଗଳଦୈ ଏବଂ ନ୍ୟୁ ଗୁୱାହାଟୀରେ ପାର୍ଟି ଏବଂ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କ ପକ୍ଷରେ
ନିର୍ବାଚନୀ ସଭା କରିବେ। ସେହିପରି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ
ଆଜି ଆସାମ ଗସ୍ତରେ ରହିବେ। ସେ ଉପର ଅସମର ନାହରକଟିଆ ଏବଂ ତିନସୁକିଆର ଟିଙ୍ଖୋଙ୍ଗ ଅଞ୍ଚଳରେ
ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ପ୍ରଚାର କରିବେ।
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରପେଟା
ଏବଂ ବରସୋଲା ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ। କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟର ଦୁଇ ଦିନିଆ ଗସ୍ତରେ ଅଛନ୍ତି, ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ
ଗୋଲକଗଞ୍ଜ, ଦୁଧନୈ ଏବଂ ପଲାଶବାଡ଼ୀରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ।
ବିରୋଧୀ ପାର୍ଟି କଂଗ୍ରେସ ମଧ୍ୟ ଜୋରଦାର ଭାବେ ନିର୍ବାଚନ
ପ୍ରଚାର ଚଲାଇଛି। କଂଗ୍ରେସ ନେତା ସଚିନ ପାଇଲଟ ଆଜି ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ଏହି
ସମୟରେ ଏଆଇଉଡିଏଫଙ୍କ ସମର୍ଥନରେ ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ ଓୱେସୀ ମଧ୍ୟ ଅନେକ
ନିର୍ବାଚନୀ ସଭାରେ ଅଂଶଗ୍ରହଣ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା