
କୋଲକାତା, ୩ ଅପ୍ରେଲ (ହି.ସ.)- ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ଦିନାଜପୁର ଜିଲ୍ଲାର ହରିରାମପୁରରେ ଏକ ନିର୍ବାଚନୀ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଶୁକ୍ରବାର ଏଠାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରୁଥିଲେ ।
ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ରାଜ୍ୟରେ ୨୫ ଦିନ ରହିବା ଘୋଷଣା ଉପରେ କଟାକ୍ଷ କରି ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ସେ ୨୫ ଦିନ ବଦଳରେ ୩୬୫ ଦିନ ପାଇଁ ରାଜ୍ୟରେ ରହିବେ, ତେବେ ତୃଣମୂଳ କଂଗ୍ରେସ ପାଇଁ କୌଣସି ଫରକ ପଡ଼ିବ ନାହିଁ । ସେ କହିଛନ୍ତି ଯେ, ଲୋକ ଯେତେ ତାଙ୍କ ମୁହଁକୁ ଦେଖିବେ, ବିଜେପିର ଭୋଟ୍ ସେତେ ହ୍ରାସ ପାଇବ । ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମୁହଁରେ ଅତ୍ୟାଚାର ଏବଂ ଦଙ୍ଗାର ଚିହ୍ନ ରହିଛି ।
ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ବିଜେପି ଆସନ ପୁର୍ନବିନ୍ୟାସ ମାଧ୍ୟମରେ ପଶ୍ଚିମବଙ୍ଗକୁ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି । ସେ ଦାବି କରିଛନ୍ତି ଯେ, ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଂଶକୁ ମିଶ୍ରଣ କରି ଏକ ପୃଥକ୍ ରାଜ୍ୟ ଗଠନ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ତଥାପି, ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ୨୦୨୬ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିବ ।
ମମତା ବାନାର୍ଜୀ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ମତଦାନ ଦିନ କେନ୍ଦ୍ରୀୟ ବଳର ଉପଯୋଗ କରି ମତଦାତାମାନଙ୍କୁ ମତଦାନରୁ ରୋକାଯାଇପାରେ । ସେ ତାଙ୍କ ଦଳର ପ୍ରାର୍ଥୀମାନଙ୍କୁ ଅତ୍ୟଧିକ ଆତ୍ମବିଶ୍ୱାସ ଏଡାଇବାକୁ ପରାମର୍ଶ ଦେଇଥିଲେ ଏବଂ କର୍ମୀମାନଙ୍କୁ ଅଂଚଳରେ ସତର୍କ ନଜର ରଖିବାକୁ କହିଥିଲେ । ସେ ରାଜ୍ୟ ସରକାରଙ୍କ ସାମାଜିକ ଯୋଜନାଗୁଡ଼ିକୁ ଉଲ୍ଲେଖ କରିଥିଲେ ଏବଂ ଭୋଟରମାନଙ୍କୁ ସତର୍କ ରହିବାକୁ ନିବେଦନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ