

ମାଲକାନଗିରି, ୪ ଅପ୍ରେଲ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ପି ଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ୨୦୨୬ ଶିକ୍ଷାବର୍ଷ ର ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ଗାଡଙ୍ଗୀ ସଭାପତିତ୍ବ କରିଥିଲା ବେଳେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଦିବାକର ସୁନା, ସମାଜସେବୀ ଭଗବାନ ସାହୁ ଓ ପୁର୍ବତନ ସରପଞ୍ଚ ଗୋପି ପାଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନା ବିଦ୍ୟାଳୟର ଶିକ୍ଷକ ସୁଧାକର ନାୟକ କରିଥିଲେ । ଅତିଥି ମାନେ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ବଳନ କରିଥିଲେ ଓ ଏହାପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଏକ ପ୍ରାରମ୍ଭିକ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା ।
ଏହି ଅବସରରେ ସମ୍ମାନୀତ ଅତିଥି ଶ୍ରୀ ସାହୁ କହିଥିଲେ ଯେ, ଆଜିର ଏହି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କେନ୍ଦ୍ର ସରକାରଙ୍କ ପ୍ରଣିତ ନୂତନ ଶିକ୍ଷା ନୀତି ୨୦୦୦ ର ଏକ ମହତ୍ ଅ°ଶ ବିଶେଷ, ଯାହାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ଶତ୍ ପ୍ରତିଶତ ସଫଳତା ସହିତ କାର୍ଯ୍ୟାନ୍ଵୟନ କରାଯାଉଛି। ଏହାଦ୍ବାରା ପିଲାଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ସହ ଭବିଷ୍ୟତରେ ଏକ ନୂତନ ଉଦ୍ଦିପନା ସୃଷ୍ଟିରେ ସହାୟକ ହୋଇପାରିବ । ୫ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲାଙ୍କୁ ବାଲବାଟିକା ପାଠ୍ୟକ୍ରମରେ ନାମ ଲେଖାଇବା ଶିକ୍ଷା ବିଭାଗର ଏକ ଅଭିନବ ଯୋଜନା ଓ ଏଥିରେ ଛୋଟ ଛୋଟ କୁନି ପିଲାମାନଙ୍କୁ ମଥାରେ ଚନ୍ଦନ ଟିକା ଦେଇ ଫୁଲ ଓ ହଳଦୀ ଚାଉଳ ପକାଇ ବିଦ୍ୟାଳୟ ପ୍ରବେଶକୁ ସମସ୍ତେ ସ୍ୱାଗତ କରିଥିଲେ ଓ ସ୍ଥାନୀୟ ପୁରୋହିତ ରମେଶ ଚନ୍ଦ୍ର ରଥ କୁନି ପିଲାମାନଙ୍କ ଖଡ଼ି ଛୁଆଁ ପର୍ବରେ ବିଭିନ୍ନ ଶ୍ଲୋକ ପଠନ କରିଥିଲେ। ଯେଉଁଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ଗାଡାଙ୍ଗୀଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କୁନି ପିଲାମାନଙ୍କୁ କଳାପଟାରେ ଖଡି ଦ୍ବାରା 'ଠ' ବା ମୁଣ୍ଡୁଳା ବୁଲାଇ ଖଡ଼ି ଛୁଆଁ ପର୍ବର ଶ୍ରୀ ଗଣେଷ କରାଇଥିଲେ ।
ଏହି ଅବସରରେ ପିଲାମାନଙ୍କୁ କିଛି ଶିକ୍ଷଣିୟ ଓ ଖେଳ ସାମଗ୍ରୀ ପ୍ରଦାନ ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସର୍ବ ଶେଷରେ ଶିକ୍ଷକ ବିକାଶ ବଡଗୁଛିଆ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ