
ଝାରସୁଗୁଡ଼ା, ୬ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଲଇକେରା–କୀର୍ମିରା ରାସ୍ତାରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଜୀବନ ହାନି ହୋଇଛି। ବ୍ରିଜ ନିକଟରେ ବୁଲେଟ ମୋଟରସାଇକେଲ ଓ ଏକ ପିକଅପ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ଘଟି ବୁଲେଟ ଚାଳକଙ୍କ ଘଟଣାସ୍ଥଳରେ ଗୁରୁତର ଆହତ ହୋଇ ପରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କୀର୍ମିରା ଗ୍ରାମର ସୌଭିକ ପୁଝାରୀ (୨୪)।
ସୂଚନା ଅନୁଯାୟୀ, ସୌଭିକ ଲଇକେରାରୁ ନିଜ ବୁଲେଟ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ବୁଲେଟ ଓ ପିକଅପ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଲଇକେରା ପୋଲିସ ଏହି ଦୁର୍ଘଟଣା ସମ୍ବନ୍ଧରେ ମାମଲା ରୁଜୁ କରି ଦୁଇଟି ଯାନକୁ ଜବତ୍ କରିଛି ଏବଂ ତଦନ୍ତ ଜାରି ରଖିଛି। ସୋମବାର ଦିନ ପୋଲିସ ମୃତଦେହର ପୋଷ୍ଟମର୍ଟମ କରାଇ ପରିବାରକୁ ହସ୍ତାନ୍ତର କରିଥିଲା। ପରେ କୀର୍ମିରା ଗ୍ରାମର ଶ୍ମଶାନ ଘାଟରେ ଶୋକାକୁଳ ପରିବେଶରେ ସୌଭିକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ସୌଭିକ ବାଙ୍ଗାଲୋରର ଏକ କମ୍ପାନୀରେ ସଫ୍ଟୱାୟାର ଇଞ୍ଜିନିୟର ଭାବେ କାମ କରୁଥିଲେ ଏବଂ ବର୍ତ୍ତମାନ ଘରୁ କାର୍ଯ୍ୟରତ ଥିଲେ। ତାଙ୍କ ପିତା ସୁଦୀପ ପୁଝାରୀଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ପରିବାରରେ ମା, ବଡ଼ ଭାଇ ଓ ଅବସରପ୍ରାପ୍ତ ସେନା ଅଧିକାରୀ ଅଜା ସୁରେନ ପୁଝାରୀ ଅଛନ୍ତି। ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ