
ମାଲକାନଗିରି, ୬ ଅପ୍ରେଲ (ହି.ସ.)-
ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ବାଲିମେଳା ନଗର ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଶତାଧିକ ସ୍ଥାନୀୟ ବାସିନ୍ଦା ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ପହଞ୍ଚିଥିଲେ। ଶିବିରରେ ମୋଟ ୧୦ଟି ବ୍ୟକ୍ତିଗତ ଏବଂ ୬ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗର ଶୁଣାଣି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମି ପଟ୍ଟା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ସହାୟତା ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହାସହ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଓ ରାସ୍ତାଘାଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ସିଡିଏମଓ ଡ଼ା. ଡୋଳାମଣି ପ୍ରଧାନ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ। ଏଥିସହ ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଶିବିରରେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ