
Bhubaneswar, 06 ଏପ୍ରିଲ୍ (ହି.ସ.)
• ଏକା ସାଙ୍ଗରେ 6ଟି ସ୍ଥାନରେ ହେଲା ଗଣସଫେଇ
ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଆଉ ଏକ ପଦକ୍ଷେପ । ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ 1 ତାରିଖରୁ ଆରମ୍ଭ ହୋଇଥିବା ‘ଓଡିଆ ପକ୍ଷ’ ଅବସରରେ ଆଜି ଥିଲା “ସ୍ୱଚ୍ଛ ଓଡିଶା ଦିବସ” । ଏହି ଉପଲକ୍ଷେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକା ସାଙ୍ଗରେ 6ଟି ସ୍ଥାନରେ ଗଣ ସଫେଇ ହୋଇଥିଲା । ଏହି ଗଣସଫେଇ ଅଭିଯାନର ଶୁଭାରମ୍ଭ ହୋଇଥିଲା ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, କର୍ପୋରେଟର ଶ୍ରୀ ଅଜୟ ବେହେରା, ଶ୍ରୀ ଶିବ ପ୍ରସାଦ ରାୟ, ଶ୍ରୀ ଶିବପ୍ରସାଦ ବେହେରା, ଶ୍ରୀ ଚନ୍ଦ୍ର ଶେଖର ମଲ୍ଲିଆ, ଗ୍ରୀଭାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ବିନୟିନୀ ଜେନା, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଂଚାସୀନ ଥିଲେ । ଏହି ଗଣସଫେଇ କାର୍ଯ୍ୟକ୍ରମରେ ଟିମ୍ ବିଏମ୍ ସି ସହ ବିଭିନ୍ନ ଏଜେନ୍ସି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ପରିମଳ ନିରୀକ୍ଷକ ଏବଂ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ ।
ଓଡିଆ ପକ୍ଷକୁ ସଶକ୍ତ କରିବା ସହ ସ୍ୱଚ୍ଛ ସର୍ବେକ୍ଷଣକୁ ଆଉ ପାଦେ ଆଗେଇ ନେବା ପାଇଁ ସ୍ୱଚ୍ଛ ଓଡିଶା ଦିବସକୁ ଧୁମ୍ ଧାମରେ ପାଳନ କରାଯାଇଥିଲା । ଆଜି ଏକା ସାଙ୍ଗରେ ନନ୍ଦନ କାନନ ଜୁଲୋଜିକାଲ ଗାର୍ଡେନ, ପଟିଆ ଜଗନ୍ନାଥ ମନ୍ଦିର, ବରମୁଣ୍ଡା ବସଷ୍ଟାଣ୍ଡ, ଖଣ୍ଡିଗିରି ଓ ଉଦୟଗିରି, ଭୁବନେଶ୍ୱର ରେଳବାଇ ଷ୍ଟେସନ ଓ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଗଣସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତ୍ୟେକ ସ୍ଥାନରେ 150ରୁ ଅଧିକ ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ଏସ୍.ଆଇଙ୍କ ସହ ଟିମ୍ ବିଏମ୍ ସି ରହିଥିବା ବେଳେ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରେ ମେୟର ଓ କମିଶନର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ 400 କର୍ମୀଙ୍କ ସହ ସାଧାରଣ ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଏମ୍ ସିର ସମସ୍ତ ଅଧିକାରୀଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଏଜନ୍ସି ଯଥା- ଗ୍ରୀନ ସର୍କଲ, ପିଏମ୍ ଆର୍, ବିକାଶ, ପ୍ରତ୍ୟୁଷ, ବାସିକ୍ସ, ଜାଗୃତି, ଆଓ୍ୱାରଲାଣ୍ଡ, ଫିଡ୍ ବ୍ୟାକ୍ ଫାଉଣ୍ଡେସନର ପ୍ରମୁଖ ଲାଗିଛନ୍ତି । ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ, ସୁନ୍ଦର କରିବା ପାଇଁ ବିଏମ୍ ସିର ପ୍ରୟାସ ଜାରି ରହିଛି । ଏଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ମାର୍ଟ ଜନ ସାଧାରଣଙ୍କ ସହଯୋଗ କାମନା କରିଛନ୍ତି ମେୟର ଓ କମିଶନର । ଭୁବନେଶ୍ୱରକୁ ସ୍ୱଚ୍ଛତା କ୍ଷେତ୍ରରେ ଦେଶର ଶ୍ରେଷ୍ଠ ସହର ଭାବେ ଗଢି ତୋଳିବା ପାଇଁ ସେମାନେ ଭୁବନେଶ୍ୱରବାସିଙ୍କୁ ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା