
ଜୟପୁର, ୦୬ ଏପ୍ରିଲ୍ (ହି.ସ.) - ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ପଂଚାୟତରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖଲିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଲଷ୍ମଣ ନାୟକ ଙ୍କ ଜନ୍ମ ମାଟି ତେନ୍ତୁଳିଗିମ୍ମା ପଂଚାୟତରେ ଶିକ୍ଷା ବିଭାଗ ପକ୍ଷରୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ। ଫଳରେ ଏହି ସଂଗ୍ରାମ ମାଟିର ତଥା ପଂଚାୟତର ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀ ପାସ କରିବା ପରେ ପଡ଼ୋଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି। ଏଥିଲାଗି ବହୁ ସମସ୍ୟା ସମ୍ମୁଖୀନ ହେଉଛନ୍ତି ପିଲାମାନେ । ଏଣୁ ବାଧ୍ୟ ହୋଇ ଅଷ୍ଟମ ପରେ ଅଧିକାଂଶ ପିଲା ପାଠ ଛାଡ଼ୁଛନ୍ତି । ଶିକ୍ଷାର ଉନ୍ନତି ପାଇଁ ତେନ୍ତୁଳିଗୁମ୍ମା ସଦର ମହକୁମା ଠାରେ ଶହୀଦ ଲଷ୍ମଣ ନାୟକ ଆଶ୍ରମ ବିଦ୍ୟାଳୟ ରହିଛି । ଏହି ଅନୁଷ୍ଠାନରେ ୨୩୦ ରୁ ଉର୍ଦ୍ଧ ପିଲା ପଢୁଛନ୍ତି କିନ୍ତୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ସୁବିଧା ରହିଛି । ଉଚ୍ଚ ଶିକ୍ଷା ସୁବିଧା ନାହିଁ । ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ପାସ ପରେ ୬୦ ଜଣ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ସ୍ଥାନ ନାହିଁ । ଏଣୁ ସେମାନେ ପଡୋଶୀ ଜିଲ୍ଲା ମାଲକାନଗିରି ଉପରେ ନିର୍ଭର କରିବାକୁ ପଡିବ । ନଚେତ ପାଠ ଛାଡିବାକୁ ପଡିବ । ସୂଚନା ଥାଉକି, ବୈପାରୀଗୁଡା ସ୍ଥିତ ତେନ୍ତୁଳିଗୁମ୍ମା ଠାରେ ଗତ ମାର୍ଚ୍ଚ ୨୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳନ ହୋଇଛି । ଏହି ଅବସରରେ ଲଷ୍ମଣ ନାୟକ ଆଶ୍ରମ ବିଦ୍ୟାଳୟ ଛାତ୍ର ଛାତ୍ରୀ ବୈପାରୀଗୁଡା ବିଡ଼ିଓ ସୁବ୍ରତ ସାହୁ ଏବଂ ବ୍ଲକ ଅଧକ୍ଷ ପ୍ରଶାନ୍ତ ଗୁପ୍ତାଙ୍କୁ ହାଇସ୍କୁଲ ଆବଶ୍ୟକ କୁ ନେଇ ଦାବୀ କରିଥିଲେ । ଏହି ଦିନ ମଂଚରେ ମଧ୍ୟ ତେତୁଳିଗୁମ୍ମା ଯୁବକ ସଙ୍ଘ କର୍ମକର୍ତା ମାନେ ଅତିଥିଙ୍କ ଉପସ୍ଥିତିରେ ପ୍ରଶାସନର ପ୍ରତିଶୃତିକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଏଥିପୂର୍ବରୁ ଗତ ନଭେମ୍ବର ୨୨ ତାରିଖ ଦିନ ଶହୀଦଙ୍କ ଜନ୍ମତିଥି ପାଳନ ଅବସରରେ ଓଡିଶା ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ଏବଂ କୋରାପୁଟ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ତେନ୍ତୁଳିଗୁମ୍ମା ପଂଚାୟତ ଆଶ୍ରମ ବିଦ୍ୟାଳୟରେ ହାଇସ୍କୁଲ ଖଲିବା ପାଇଁ ମଂଚରେ ଘୋଷଣା କରିଥିଲେ । କିନ୍ତୁ ଏବେ ଶିକ୍ଷା ବର୍ଷ ଆରମ୍ଭ ହୋଇଛି କିନ୍ତୁ ହାଇସ୍କୁଲ ଆରମ୍ଭ ହୋଇପାରିଲା ନାହିଁ । ବର୍ତମାନ ଏହି ପଂଚାୟତରେ ଭେଜିନିଗୁଡା, ମାଙ୍କଡ଼ପାଣି,ଅଁଳାଗୁଡା ଆଦି ୩ ଟି ପ୍ରାଥମିକ ବିଦ୍ୟାଳୟରହିଥିବା ବେଳେ କିନ୍ତୁ ହାଇସ୍କୁଲ ବ୍ୟବସ୍ଥା ନାହିଁ । ଯଦିଓ ଅଭିଭାବକ ମାନେ ନିରାକ୍ଷର କିନ୍ତୁ ସେମାନେ ସଚେତନ କ୍ଷ ସେମାମଙ୍କ ପିଲାଙ୍କୁ ପାଠ ପଢାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ପଂଚାୟତରେ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବା ପାଇଁ କୌଣସି ବିଦ୍ୟାଳୟ ନଥିବା ଯୋଗୁଁ ପଡ଼ୋଶୀ ଜିଲ୍ଲା ମାଲକାନଗିରି ଉପରେ ନିର୍ଭର କରୁଛନ୍ତି। ନଚେତ ପିଲାମାନେ ଅଧାରୁ ପାଠ ଛାଡ଼ୁଛନ୍ତି । ନଦୀ ଅଟୋପଟେ ଥିବା ୬ ଖଣ୍ଡ ଗାଁ ଲୋକଙ୍କ କଷ୍ଟ ଦୁଇଗୁଣିତ କରିଦେଉଛି । ସ୍ୱାଧୀନତା ସଂଗ୍ରାମୀ ଲଷ୍ମଣ ନାୟକଙ୍କୁ ନେଇ ଦେଶ ଗର୍ବ କରୁଥିବା ବେଳେ ସଂଗ୍ରମ ମାଟିର ସନ୍ତାନ ଶିକ୍ଷାରୁ ବଂଚିତ ରହି ଡ୍ରପଆଉଟ ସଂଖ୍ୟା ବଢୁଛି । ଏନେଇ ସ୍ଥାନୀୟ ବିଇଓ ସୁକାନ୍ତି କର୍ମୀଙ୍କୁ ପଚାରିବାରୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ ଆସିଲେ ଖୋଲାଯିବ କହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖଲିବା ପାଇଁ ପଂଚାୟତବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି