
ଚମ୍ପୁଆ, ୦୬ ଏପ୍ରିଲ୍(ହି.ସ.) – ଚମ୍ପୁଆ ବନାଂଚଳରେ ସର୍ବମୋଟ ୩୬ଟି ବଣୁଆ ହାତୀ ରହିଥିବାବେଳେ ଗୋଠଛଡ଼ା ହୋଇ ଦୁଇଟି ବଣୁଆ ଦନ୍ତାହାତୀ ଅଲଗା ଅଲଗା ସ୍ଥାନରେ ରହି ଉପଦ୍ରବ କରୁଥିବା ଜଣାପଡ଼ିଛି। ଚମ୍ପୁଆ ସେକ୍ସନରେ ଗୋଟିଏ ଗୋଠ ଛଡ଼ା ଦନ୍ତା, ଉଖୁଣ୍ଡା ସେକ୍ସନରେ ଗୋଟିଏ ଗୋଠ ଛଡ଼ା ଦନ୍ତା, ଯୋଡ଼ା ସେକ୍ସନରେ ୧୯ଟି ବଣୁଆ ହାତୀ, ବାଲିବନ୍ଧ ସେକ୍ସନରେ ୧୩ଟି ବଣୁଆ ହାତୀ, ବାମେବାରି ସେକ୍ସନରେ ୨ଟି ବଣୁଆ ହାତୀ ସର୍ବମୋଟ ୩୬ଟି ବଣୁଆ ହାତୀ ରହିଥିବା ଚମ୍ପୁଆ ବନାଂଚଳ ଅଧିକାରୀ ଏସିଏଫ୍ ଅକ୍ଷୟ ଛତ୍ରିଆ ସୂଚନା ଦେଇଛନ୍ତି। ହାତୀପଲ ମଧ୍ୟ ରାତ୍ରରେ ଘର ନିକଟକୁ ଯାଇ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ବାଡ଼ି ବଗିଚାରେ ପଶି ପନିପରିବା ନଷ୍ଟ କରୁଛନ୍ତି। ଚମ୍ପୁଆ ବନାଂଚଳର ଚମ୍ପୁଆ ସେକ୍ସନ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଗୋଠଛଡ଼ା ଦନ୍ତା ରହି ନିକଟସ୍ଥ କୃଷ୍ଣପୁର ଗ୍ରାମରେ ପଶି ଜଣକ ଘର ଭାଙ୍ଗି ଧାନ ଚାଉଳ ଖାଇଥିବାବେଳେ ସେହିପରି ଉଖୁଣ୍ଡା ସେକ୍ସନର ଉଖୁଣ୍ଡା ବିଟ ଅନ୍ତର୍ଗତ କଟୁପଶି ଗ୍ରାମର ହଗୁରୁ ମହାନ୍ତ, ଗମା ମହାନ୍ତଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଥିବା ଜଣାପଡ଼ିଛି। ଏତଦ୍ବ୍ୟତୀତ ଜ୍ୟୋତିପୁର ବିଟର ପାରୁଡ଼ିପଶୀ ଗ୍ରାମର ବିରଂଚି ବେହେରାଙ୍କ ଘର ମଧ୍ୟ ଭାଙ୍ଗି ଧାନ ଚାଉଳ ଖାଇଥିବା ସୂଚନା ମିଳିଛି। ହାତୀ ଦୁଇଟିର ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହିତ ନିକଟସ୍ଥ ଗ୍ରାମାଂଚଳଗୁଡ଼ିକରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ ରହିବା ନିମନ୍ତେ ବନବିଭାଗ କର୍ମଚାରୀ ସୂଚନା ଦେଉଥିବା ଦେଖିବାକୁ ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta