
କେନ୍ଦ୍ରାପଡା, ୬ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବଡକେଲ୍ଲା ଗ୍ରାମର ୭ ବର୍ଷର ଶିଶୁ କନ୍ୟାକୁ ଜଘନ୍ୟ ଭାବରେ ହତ୍ୟା କରି ନାଳରେ ଫୋପାଡି ଦେବା ମାମଲାରେ ନ୍ୟାୟ ପାଇଁ ଲଢେଇ ପରିବାର ଅନୁଷ୍ଠାନ ତରଫରୁ ଜାତୀୟ ମାନବ ଅଧିକାର କମିଶନରଙ୍କ ନିକଟରେ ୩୦ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ରାଜନଗର ଥାନା ଅନ୍ତର୍ଗତ ବଡକେଲ୍ଲା ଗ୍ରାମର ଜଣେ ୭ ବର୍ଷର ଶିଶୁକନ୍ୟା ୨ ଦିନ ତଳେ ଗ୍ରାମରେ କୀର୍ତନ ଚାଲିଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ଘଟଣାର ଦିନକ ପରେ ଶିଶୁକନ୍ୟାର ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା । ଶିଶୁ କନ୍ୟାକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ଘଟଣାର ତଦନ୍ତରେ ଶୀତଳତା ଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାର ନିନ୍ଦା କରାଯାଇଛି । ଏନେଇ ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, ଓଡିଶା ପୋଲିସ ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇ ଜାତୀୟ ମାନବ ଅଧିକାର କମିଶନରଙ୍କ ନିକଟରେ ପୀଡିତ ପରବାରକୁ ନ୍ୟାୟ ଦେବା ସହ ୩୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ନ୍ୟାୟ ପାଇଁ ଲଢେଇ ପରିବାର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି