


ସୁବର୍ଣ୍ଣପୁର, ୦୬ ଏପ୍ରିଲ୍(ହି.ସ.) – ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି, ସୁବର୍ଣ୍ଣପୁର ପାଇଁ ନୂତନ ଭାବେ ଚୟନ ହୋଇଥିବା ସଭାପତି ତଥା ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ସୋନପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା ପ୍ରଶାସନର ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ସଭାପତି ଶ୍ରୀ ଜଗଦଲାଙ୍କୁ ସ୍ୱାଗତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ, ଡ. ସୌମ୍ୟାରୂପା ରଥଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ତାଙ୍କର ମତ ରଖି ସଭାପତି ଶ୍ରୀ ଜଗଦଲାଙ୍କୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ସହିତ ମିଳିମିଶି କାମ କରିବ ବୋଲି ପ୍ରତିକ୍ରିୟା ରଖିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ନାଏକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ସଭାପତି ଶ୍ରୀ ଜଗଦଲା ନିଜର ମନ୍ତବ୍ୟ ରଖି ସୁବର୍ଣ୍ଣପୁର ଜିଲ୍ଲାର ଉତରୋତର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ। ଖୁବ୍ଶୀଘ୍ର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟିର ପ୍ରମୁଖ ସଦସ୍ୟମାନଙ୍କ ସହିତ ଆଲୋଚନା କରି ଆସନ୍ତା ଏକ ମାସ ମଧ୍ୟରେ ବୈଠକ କରାଯିବା ଓ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ