
ଝାରସୁଗୁଡ଼ା, ୬ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ସୋଡାମାଳ ସରକାରୀ ହାଇସ୍କୁଲ (ସେବାଶ୍ରମ) ର ୫୦ ବର୍ଷ ପୂର୍ତ୍ତି ଅବସରରେ ତିନିଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଅବସରରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ଆଜିର ଛାତ୍ରମାନେ ହିଁ ଆସନ୍ତାକାଲିର ଜନନାୟକ, ତେଣୁ ପ୍ରତି କ୍ଷଣ ନିଜକୁ ସଠିକ୍ ପଥରେ ଆଗକୁ ଆଣିବା ଆବଶ୍ୟକ।” ଏହା ସହତ ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ପ୍ରତି ସଚେତନ ଓ ଶୃଙ୍ଖଳାବଦ୍ଧ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସୋଡାମାଳ ସରପଞ୍ଚ ଚନ୍ଦନ ପଟ୍ଟନାୟକ, ପୁରାତନ ଛାତ୍ର ସଂସଦ ସଭାପତି ଲେନିନ ସାହୁ, କୋଷାଧ୍ୟକ୍ଷ ସଞ୍ଜୟ କରାଲି ଓ ଜୈଷ୍ଠ ଶିକ୍ଷକ ବସନ୍ତ ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିବେକାନନ୍ଦ ସାମଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ସୁଦର୍ଶନ ସରାଫଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ବିଦ୍ୟାଳୟର ପୁରାତନ ଛାତ୍ର ଓ ବର୍ତ୍ତମାନ ନୟାଗଡ଼ ତହସିଲଦାର ରାଜାରାମ ଛତ୍ରିଆ ସଂଚାଳନା କରିଥିଲେ।
ଏହି ଅବସରରେ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ ଓ ତାଙ୍କ ଦଳ ଦ୍ୱାରା ବ୍ୟଙ୍ଗ କବିତା ଓ ଗଳ୍ପ ପରିବେଷଣ କରାଯାଇଥିଲା। ଶେଷରେ ଶିକ୍ଷକ ଭରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ