
ବଲାଙ୍ଗିର, ୬ ଅପ୍ରେଲ (ହି.ସ.)-
ରେଳ ଉପଭୋକ୍ତ ସଂଘ ବଲାଙ୍ଗିର ବରଗଡ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ସାଧାରଣ ବୈଠକ ବରଗଡ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜାତୀୟ ସଂଗୀତ ଗାନ ପରେ ବରଗଡ ରେଳ ଉପଭୋକ୍ତା ସଂଘ ସଭାପତି ପ୍ରଦୀପ ଦେବତା ନିଜର ଅଭିଭାଷଣରେ ବଲାଙ୍ଗିରରୁ ଭୁବନେଶ୍ୱରକୁ ଯିବା ଆସିବା କଲା ପରି ଏକ ସକାଳୁଆ ଟ୍ରେନ, ବଲାଙ୍ଗିର ଠାରେ ପିଟ୍ ଲାଇନ ଏବଂ ବଲାଙ୍ଗିର ବରଗଡ ଦେଇ ଏକ ସିଧାସଳଖ ଦିଲ୍ଲୀ ବା ପ୍ରୟାଗରାଜକୁ ଟ୍ରେନ ଚଳାଇବା ଉପରେ ଜୋର ଦେଇଥିଲେ । ପରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ବଲାଙ୍ଗିର ଠାରେ ପିଟ ଲାଇନ ଓ ଏଡିଆରଏମ୍ ସ୍ଥାପନ କରିବା ଉପରେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ଅଣଦେଖା କରାଯାଉଛି, ପୂର୍ବତଟ ରେଳବାଇ ଖୋର୍ଦ୍ଧା ରେଳ ମଣ୍ଡଳରୁ ପଲାସା, ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇର ବିଶାଖାପାଟଣା ମଣ୍ଡଳକୁ ଦିଆଯାଇଥିବାରୁ ରେଳବାଇ ମନ୍ତ୍ରୀ ନିଜ ରାଜ୍ୟର ହୋଇ ମଧ୍ୟ ବଲାଙ୍ଗିର ବରଗଡ ପରି କେବିକେ ଅଂଚଳକୁ ଅଣଦେଖା କରି ନିଜ ରାଜ୍ୟର ଉନ୍ନତିକରଣ ନକରି ଅନ୍ୟ ରାଜ୍ୟର ଉନ୍ନତିକରଣ କରାଯାଉଛି ବୋଲି କହିଥିଲେ । ଏଣୁ ରାୟଗଡା ମଣ୍ଡଳକୁ ପୂର୍ଣ୍ଣକ୍ଷମ କରାଯାଇ ବଲାଙ୍ଗିର ଠାରେ ଏଡିଆରଏମ୍ କାର୍ଯ୍ୟାଳୟ ଓ ପିଟ ଲାଇନ ତୁରନ୍ତ ସ୍ଥାପନ କରାଯାଉ ବୋଲି ଦାବି ଜଣାଇଥିଲେ । ଉକ୍ତ ବୈଠକରେ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗି ଯୋଗ ଦେଇଥିଲେ । ପ୍ରାୟ ସମସ୍ତ ସଭ୍ୟ ଦୀର୍ଘ ୧୫ ବର୍ଷ ହେଲା ରେଳ ବିଭାଗ ବଲାଙ୍ଗିର, ବରଗଡ ପରି ପଛୁଆ ଅଂଚଳକୁ ଅଣଦେଖା କରୁଛି l ଏଣୁ ଉପରୋକ୍ତ ଦାବି ଗୁଡିକ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଡିଆରଏମ୍ କାର୍ଯ୍ୟlଳୟ ସମ୍ମୁଖରେ ବିକ୍ଷୋଭ ଏବଂ ରେଳରୋକୋ କରିବା ପାଇଁ ବାଧ୍ୟ ହେବେ ବୋଲି ମତପ୍ରକାଶ ପାଇଥିଲା ।
କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ବିବରଣୀ ପାଠ କରିଥିଲେ । ଉଭୟ ସଂଘର ସଂପାଦକ ବିମଲ ଚକ୍ରବର୍ତ୍ତି ଓ କମଲ ଯୋଷୀ ମଂଚାସିନ ଥିଲେ l ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ତରଫରୁ କାର୍ଯ୍ୟକାରିଣୀ ସଭ୍ୟ ଗୋପବନ୍ଧୁ ପୁରୋହିତ, ପ୍ରଭାକର ମିଶ୍ର ଓ ଦିବାକର ହୋତା ଉପସ୍ଥିତ ରହି ନିଜର ମତାମତ ରଖିଥିଲେ । ଶେଷରେ ପ୍ରୀତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ