
ଝାରସୁଗୁଡ଼ା, ୬ ଅପ୍ରେଲ (ହି.ସ.)-
ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇ ସେଗୁଡ଼ିକର ବିହିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି. ଆର ରାଘବେନ୍ଦ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କିଶୋର ଚନ୍ଦ୍ର ସ୍ୱାଇଁ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଏବଂ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।
ଆଜିର ଏହି ଶିବିରରେ ମୋଟ ୮୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୨୯ଟି ସାମୂହିକ ଏବଂ ୬୦ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡ଼ିକ ମଧ୍ୟରୁ ୭ଟି ସମସ୍ୟାର ତତକ୍ଷଣାତ ସମାଧାନ କରାଯାଇଥିବା ବେଳେ ବାକି ଅଭିଯୋଗ ଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ୬ ଜଣ ଆବେଦନକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।
ଶିବିରରେ ବିଶେଷ କରି ଜମିବାଡ଼ି ବିବାଦ ଏବଂ ଆର୍ଥିକ ସହାୟତା ପାଇଁ ଅଧିକାଂଶ ଆବେଦନ ଆସିଥିଲା। ଏଥିସହିତ ଏନଏଲସି ସମ୍ପର୍କିତ ସମସ୍ୟା, ଶିଳ୍ପାଞ୍ଚଳରେ ବଢୁଥିବା ପ୍ରଦୂଷଣ ନିୟନ୍ତ୍ରଣ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ