
ମାଲକାନଗିରି, ୬ ଅପ୍ରେଲ (ହି.ସ.)- ରାଜ୍ୟ ସରକାର ରାଜ୍ୟର ୨୩ଟି ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ତାଲିକା ଘୋଷଣା କରିଛନ୍ତି। ମାଲକାନଗିରି ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡି ଓ ଉପାଧ୍ୟକ୍ଷ ଭାବେ ସାବିତ୍ରୀ ପଡ଼ିଆମୀଙ୍କୁ ମନୋନୀତ କରାଯାଇଛି। ଏନେଇ ଜିଲ୍ଲାବାସୀ ଓ ଭାଜପା କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି।
ଶ୍ରୀ ସୋଡି ପୂର୍ବରୁ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ସରପଞ୍ଚ, କାଲିମେଳା ବ୍ଲକ ଅଧ୍ୟକ୍ଷ ଓ ଜିଲା ଭାଜପା କମିଟିରେ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରିଛନ୍ତି। ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଜିଲାର ଆଦିବାସୀଙ୍କ ହିତରେ ସେ କାର୍ଯ୍ୟକରିବେ ବୋଲି ସୂଚନା ଦେଇଛନ୍ତି। ମାଲକାନଗିରି ବିଧାୟକ ନରସିଂ ମାଡକାମୀ ଓ ଜିଲ୍ଲା ଭାଜପା ସଭାପତି ଅଶୋକ ପରିଡା ଉଭୟ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ