
ଝାରସୁଗୁଡ଼ା, ୬ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ୍ ପତ୍ରାପାଲି ଓ ମଲଦା ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ଏନଏଲସି ଇଣ୍ଡିଆ ଲିମିଟେଡ୍ ବିରୋଧରେ ଜମି କିସମ ପରିବର୍ତ୍ତନ ଓ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, ତଲାବିରା ୨ ଓ ୩ ଓସିପି ପ୍ରକଳ୍ପର ଉପଭୋକ୍ତା ସଂସ୍ଥା ଏନଏଲସି ଇଣ୍ଡିଆ ଲିମିଟେଡ୍ ମିଥ୍ୟା ସୂଚନା ଦେଇ ଜଙ୍ଗଲ ମଞ୍ଜୁରୀ ହାସଲ କରିଛି। ପତ୍ରାପାଲି ଗାଁର ଖାତା ନଂ ୧୬୫ ଅନ୍ତର୍ଗତ ଅନେକ ପ୍ଲଟ୍ କୁ ‘ପତିତ’ ବୋଲି ଦର୍ଶାଯାଇଥିବା ବେଳେ, ସରକାରୀ ରେକର୍ଡରେ ୧୯୮୦ରୁ ୨୦୨୫ ପର୍ଯ୍ୟନ୍ତ ଏହାକୁ ‘ପଥରବାଣୀ’ କିସମ ଭାବେ ଉଲ୍ଲେଖ ରହିଛି। ଏହି ପରିସ୍ଥିତିରେ କିସମ ପରିବର୍ତ୍ତନ ଛଡ଼ା ଗଛ କାଟିବା ଉଦ୍ୟମକୁ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଛନ୍ତି।
ଏହାସହ, କମ୍ପାନୀ ପକ୍ଷରୁ ଗ୍ରାମ ପାର୍ଶ୍ୱ, ପଞ୍ଚାୟତ ରାସ୍ତା ଓ ପତ୍ରାପାଲି ହାଇସ୍କୁଲ ପଛପଟେ ଡମ୍ପିଂ ୟାର୍ଡ ସୃଷ୍ଟି କରାଯାଇଥିବାରୁ ଲୋକମାନଙ୍କ ଜୀବନ ଜୀବିକା ଓ ସୁରକ୍ଷା ନେଇ ଆଶଙ୍କା ବୃଦ୍ଧି ପାଇଛି। ଏକମାତ୍ର ସାର୍ବଜନିକ ରାସ୍ତା ଦେଇ କମ୍ପାନୀର ଭାରି ଯାନ ଚଳାଚଳ କରୁଥିବାରୁ ଛାତ୍ରଛାତ୍ରୀ, ମହିଳା ଓ ବୟସ୍କମାନେ ଅସୁରକ୍ଷିତ ମଣୁଛନ୍ତି। କୋଇଲା ଖଣି ନିୟମାବଳୀ ଅନୁଯାୟୀ ସ୍ପଏଲ ଉଚ୍ଚତା ୩୦ ମିଟର ମଧ୍ୟରେ ରହିବାକୁ ଥିବା ସତ୍ୱେ, ପତ୍ରାପାଲି ହାଇସ୍କୁଲ ପଛପଟେ ଏହା ୪୦ ମିଟରରୁ ଅଧିକ ରଖାଯାଇଥିବା ଅଭିଯୋଗ ହୋଇଛି। ବର୍ଷା ଋତୁରେ ଏହା ବଡ଼ ବିପଦ ସୃଷ୍ଟି କରିପାରେ ଓ ସ୍ପଏଲ ଜଳସ୍ରୋତ ସହିତ ସ୍କୁଲ ଓ ଦୋକାନକୁ ପ୍ରବେଶ କରିପାରିବ ବୋଲି ଗ୍ରାମବାସୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ଯଦୁମଣି ସାହୁ, ନରେନ୍ଦ୍ର ସାହୁ, ରଘୁମଣି ମୁଣ୍ଡା, ଜଗନ୍ନାଥ ସାହୁ, ସୁଭାଷ ବିଶ୍ୱାଳ, ସୁରୁ ମୁଣ୍ଡା, ଜିତେନ କିଶାନ ଓ ସୁଦର୍ଶନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ