
ଝାରସୁଗୁଡ଼ା, ୬ ଅପ୍ରେଲ (ହି.ସ.)- ଝାରସୁଗୁଡ଼ା ସହରରେ ଜମିର ବେଞ୍ଚମାର୍କ ମୂଲ୍ୟର ଅହେତୁକ ଓ ଅସମାନୁପାତିକ ବୃଦ୍ଧିକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ସହରର ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ମୂଲ୍ୟ ନିର୍ଣ୍ଣୟ କମିଟିର ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ୧ ଏପ୍ରିଲ ୨୦୨୬ ଠାରୁ ଲାଗୁ ହୋଇଥିବା ନୂତନ ସରକାରୀ ବେଞ୍ଚମାର୍କ ଦର ବାସ୍ତବ ବଜାର ମୂଲ୍ୟଠାରୁ ବହୁଗୁଣା ଅଧିକ ରହିଛି। ଏହା ଫଳରେ ମଧ୍ୟବିତ୍ତ ଓ ନିମ୍ନ ଆୟ ବର୍ଗର ଲୋକମାନଙ୍କ ପାଇଁ ସହରରେ ଜମି କିଣି ଘର ତିଆରି କରିବା ଦୁର୍ଲଭ ହୋଇପଡ଼ିଛି।
ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ଷ୍ଟାମ୍ପ ଆଇନ–୧୮୯୯ ଅନୁଯାୟୀ ଜମିର ମୂଲ୍ୟ ନିର୍ଦ୍ଧାରଣ ପୂର୍ବରୁ କ୍ଷେତ୍ର ପରିଦର୍ଶନ ଓ ସ୍ଥାନୀୟ ତଦନ୍ତ ଆବଶ୍ୟକ ଥିବା ସତ୍ୱେ, ଏହାକୁ ଅଣଦେଖା କରାଯାଇଛି। କେବଳ କାର୍ଯ୍ୟାଳୟରେ ବସି ଦର ବୃଦ୍ଧି କରାଯାଇଥିବା ଅଭିଯୋଗ ଉଠିଛି।
ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଜମି ସହ ଗଳିକନ୍ଦି ଓ ଅଭ୍ୟନ୍ତରୀଣ ଅଞ୍ଚଳର ଜମିକୁ ସମାନ ହାରରେ ମୂଲ୍ୟ ବୃଦ୍ଧି କରାଯିବାକୁ ସହରବାସୀ ଅଯୁକ୍ତିସଙ୍ଗତ ବୋଲି କହିଛନ୍ତି।
ଏହାସହିତ, ସହର ଅଞ୍ଚଳରେ ମୂଲ୍ୟ ବଢ଼ାଯାଇଥିବା ବେଳେ ଶିଳ୍ପାଞ୍ଚଳ ସଂଲଗ୍ନ ଜମିରେ ସେହିପରି ବୃଦ୍ଧି ନ ହେବାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏହା ଶିଳ୍ପପତିଙ୍କ ପକ୍ଷରେ ଯୋଜନାବଦ୍ଧ ଭାବେ କରାଯାଇଥିବା ପଦକ୍ଷେପ ହୋଇପାରେ ବୋଲି ସେମାନେ କହିଛନ୍ତି। ନୂତନ ମୂଲ୍ୟାଙ୍କନ ପୂର୍ବରୁ ସାଧାରଣ ଲୋକଙ୍କର ମତାମତ କିମ୍ବା ଆପତ୍ତି ଗ୍ରହଣ କରାଯାଇନଥିବା ଓ କେବଳ କିଛି ଚୟନିତ ବ୍ୟକ୍ତିଙ୍କୁ ନେଇ ପ୍ରକ୍ରିୟା ସମାପ୍ତ କରାଯାଇଥିବାରୁ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି। ସହରବାସୀମାନେ ଜିଲ୍ଲାପାଳଙ୍କୁ ଏହି ବେଞ୍ଚମାର୍କ ମୂଲ୍ୟାଙ୍କନର ତୁରନ୍ତ ପୁନଃ ସମୀକ୍ଷା କରିବା ସହିତ ବାସ୍ତବ ବଜାର ତଥ୍ୟ ଆଧାରରେ ଦର ସଂଶୋଧନ କରିବା ଓ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ସାଧାରଣ ଲୋକଙ୍କୁ ଆପତ୍ତି ଜଣାଇବା ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି।
ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବରିଷ୍ଠ ଓକିଲ ଦିନେଶ ଜୈନ, ପି. ରାମ ମୋହନ ରାଓ, ଶିକ୍ଷାବିତ ମୃତ୍ୟଞ୍ଜୟ ପାଳ, ଅକ୍ଷୟ ସାହୁ ଓ ମୋହନ ଶର୍ମା ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ଏପରିସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ସହରରେ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ଉପରେ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ