
ଝାରସୁଗୁଡ଼ା, ୬ ଅପ୍ରେଲ (ହି.ସ.)- ଓଡ଼ିଆ ପକ୍ଷ - ୨୦୨୬ ପାଳନ ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ସ୍ଵଚ୍ଛତା ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଝାଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ନେତୃତ୍ୱ ନେଇ ସହରବାସୀଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ବିମଳେନ୍ଦୁ ଭୋଳ, ପୌର ପରିଷଦ ଉପାଧ୍ୟକ୍ଷ ବେଣୁଗୋପଳ ପାଣିଗ୍ରାହୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କିଶୋର ଚନ୍ଦ୍ର ସ୍ୱାଇଁ ଏବଂ ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଜିଲ୍ଲା ପ୍ରଶାସନର ପଦାଧିକାରୀ ଓ ପୌରପାଳିକାର କର୍ମଚାରୀମାନେ ମନ୍ଦିର ପରିସରକୁ ସଫା କରିବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ସଙ୍କଳ୍ପ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ପ୍ରକାଶ କରିଛନ୍ତି ଯେ, ଆମର ଐତିହ୍ୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ଏହି ସ୍ୱଚ୍ଛତା ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମସ୍ତ ବର୍ଗର ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମ ଏକ ଗଣ ଆନ୍ଦୋଳନର ରୂପ ନେଇପାରିଛି ବୋଲି ସେ କହିଥିଲେ।
ଏଥିସହ ଏହି ଅଭିଯାନରେ ସମାଜସେବୀ ସୋନୁ ଥିରାଣୀ, ରାଜେନ୍ଦ୍ର ସା, ଜୟ ମହାନନ୍ଦିଆ, ବିକଳ୍ପ ତିୱାରୀ, ଚିରାଗ ପୋଦାର, ଅଭିନବ ତିୱାରୀ, କଳ୍ପନା ମାଝୀଙ୍କ ସମେତ ସହରର ବହୁ ବୁଦ୍ଧିଜୀବି, ସାମ୍ବାଦିକ, ବରିଷ୍ଠ ନାଗରିକ ଓ ସ୍ବେଛାସେବୀମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ