
ନୂଆପଡ଼ା, ୬ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ଓରମାସ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା–୨୦୨୬ ଏପ୍ରିଲ ୧ରୁ ୬ ପର୍ଯ୍ୟନ୍ତ ନ୍ୟାସନାଲ ମହାବିଦ୍ୟାଳୟ ପଡ଼ିଆରେ ଧୁମଧାମରେ ଆୟୋଜିତ ହୋଇ ସଫଳତାର ସହ ଉଦଯାପିତ ହୋଇଛି। ଏହି ମେଳା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ସହ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରଭାବଶାଳୀ ବଜାର ମଂଚ ରୂପେ ପରିଣତ ହୋଇଥିଲା। ଏହି ମେଳାରେ ମୋଟ ୧୬୦ଟି ଷ୍ଟଲ ସ୍ଥାପିତ ହୋଇଥିଲା। ଏଥିରୁ ୧୪୦ଟି ଷ୍ଟଲରେ ପଲ୍ଲିଶ୍ରୀ ଅନ୍ତର୍ଗତ ଗ୍ରାମୀଣ ଉତ୍ପାଦ, ହସ୍ତଶିଳ୍ପ, ହସ୍ତତନ୍ତ ଓ କୃଷି ଉତ୍ପାଦ ପ୍ରଦର୍ଶିତ ହୋଇଥିବା ବେଳେ ୨୦ଟି ଷ୍ଟଲରେ ପୁସ୍ତକ ମେଳା ଆୟୋଜିତ ହୋଇଥିଲା। ଓଡ଼ିଶା ସହ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଓ କାରିଗରମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମେଳାକୁ ବହୁତ ଆକର୍ଷଣୀୟ କରିଥିଲା। ପ୍ରତିଦିନ ମେଳା ପରିଦର୍ଶନ ପାଇଁ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା। କ୍ରେତାମାନଙ୍କ ଆଗ୍ରହ ଓ ସହଭାଗିତା ଫଳରେ ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ପୁସ୍ତକ ମେଳାରେ ମୋଟ ୪,୮୯,୮୫୮ ଟଙ୍କାର ବିକ୍ରୟ ହୋଇଥିବା ବେଳେ ପଲ୍ଲିଶ୍ରୀ ମେଳାରେ ୧,୦୨,୩୪,୭୮୭ ଟଙ୍କାର ବ୍ୟବସାୟ ହୋଇଥିଲା। ସମୁଦାୟ ଭାବେ ମୋଟ ବ୍ୟବସାୟ ୧,୦୭,୨୪,୬୪୫ ଟଙ୍କାକୁ ପହଂଚି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ସ୍ଥାନ ପରିବର୍ତନକୁ ନେଇ ପ୍ରାରମ୍ଭରେ କିଛି ଆଶଙ୍କା ରହିଥିଲେ ମଧ୍ୟ, ଚଳିତ ବର୍ଷର ଏହି ରେକର୍ଡ ସ୍ତରର ବ୍ୟବସାୟ ପୂର୍ବବର୍ଷର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। ବିଗତ ବର୍ଷ ତୁଳନାରେ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ବୃଦ୍ଧି ହୋଇଥିବା ଜଣାପଡ଼ିଛି।
ଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି ଯେ, ସମସ୍ତ ତଥ୍ୟ ଆସିଲେ ଏହି ବ୍ୟବସାୟର ଆକଳନ ଆହୁରି ବଢ଼ିପାରେ। ଅଂଚଳବାସୀଙ୍କ ସହଯୋଗ, ଜିଲ୍ଲା ପ୍ରଶାସନର ସୁଚିନ୍ତିତ ପରିକଳ୍ପନା ଓ ଅଂଶଗ୍ରହଣକାରୀମାନଙ୍କ ସକ୍ରିୟ ଉଦ୍ୟମ ଏହି ସଫଳତାର ମୂଳ କାରଣ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏହି ମେଳା ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ତାଙ୍କର ଉତ୍ପାଦ ପ୍ରଦର୍ଶନ ଓ ବଜାରୀକରଣ ପାଇଁ ଏକ ଉତ୍କୃଷ୍ଟ ମଂଚ ପ୍ରଦାନ କରିଥିବା ସହ ସେମାନଙ୍କ ଆୟ ବୃଦ୍ଧି ଓ ସ୍ଥାୟୀ ଜୀବିକା ସୃଷ୍ଟିରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଶେଷରେ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀ, ବିଭିନ୍ନ ବିଭାଗ ଓ ପରିଦର୍ଶକମାନଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ