ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ
ନୂଆପଡ଼ା, ୬ ଅପ୍ରେଲ (ହି.ସ.)- ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକ ଅନ୍ତର୍ଗତ ବିରୋମାଲ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ
Prabasi shramik sachetanata


ନୂଆପଡ଼ା, ୬ ଅପ୍ରେଲ (ହି.ସ.)- ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକ ଅନ୍ତର୍ଗତ ବିରୋମାଲ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ. ଧନେଶ୍ୱର ସେଠୀ, ବିଡିଓ ରୋହିତ ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସ୍ଥାନୀୟ ସରପଞ୍ଚ ନିରା ଚନ୍ଦ୍ରକାର ଓ ସମିତି ସଦସ୍ୟା ଗାୟତ୍ରୀ ବାଇ ମାଝୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସଭା ପରିଚାଳନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସଭାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଫଳରେ ନୂଆପଡ଼ା ରାଜ୍ୟ ଓ ଜାତୀୟ ସ୍ତରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି। ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରତି ଶ୍ରମିକ ପରିବାରକୁ ୩୦୦ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ସହିତ ଗ୍ରାମରେ ରହି ଆର୍ଥିକ ସ୍ଵାବଲମ୍ବନ ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମସ୍ତେ ମିଳିମିଶି ପ୍ରବାସମୁକ୍ତ ଗ୍ରାମ ପଞ୍ଚାୟତ ଗଢ଼ିବା ପାଇଁ ସେ ଆହ୍ୱାନ କରିଥିଲେ। ଅବୈଧ ମଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ପାଳନ କରାଯାଇଥିଲା। ଜିଲ୍ଲାପାଳ ଦୁଇ ନବଜାତ ଶିଶୁକନ୍ୟାଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଚାରା ଓ ଉପହାର ପ୍ରଦାନ କରିଥିଲେ। ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଉପହାର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ସ୍କୁଲ୍ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଓ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର, ମୃତ୍ୟୁ ସହାୟତା, ବିବାହ ସହାୟତା, ଶିକ୍ଷା ଓ ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା। ୧୦ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।

ଏହି ଅବସରରେ ଧରମବନ୍ଧା ଗ୍ରାମ ପଞ୍ଚାୟତର ପତୋରା ଗ୍ରାମର ୭ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଶିରୋନାମା ପ୍ରଦାନ କରାଯାଇଥିଲା। ମଧୁବାବୁ ପେନସନ ଯୋଜନାରେ ନୂତନ ୫ ଜଣ ହିତାଧିକରୀଙ୍କୁ ପ୍ରଥମ କିସ୍ତି ପେନସନ ବଣ୍ଟନ କରାଯାଇଥିଲା। ଏହା ସହ ଏସଏଚଜି ସଦସ୍ୟ ରୁପଲତା ଚନ୍ଦ୍ରକାର, ଶିକ୍ଷକ ଗୋକୁଳରାମ ଦଣ୍ଡସେନା ଓ ଅବସରପ୍ରାପ୍ତ ଆଙ୍ଗନୱାଡ଼ି କର୍ମୀ ସଲ୍ୟା କୁମାରୀ ରଣାଙ୍କୁ “ସ୍ୱଚ୍ଛତା ଦୂତ ପୁରସ୍କାର” ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମରେ “ପକ୍ଷୀ ପାଇଁ ଦିନଟିଏ” ପାଳନ କରାଯାଇ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା।

ଶେଷରେ ଜିଲ୍ଲାପାଳ ଫେରନ୍ତା ପ୍ରବାସୀ ଶ୍ରମିକ ଦୀପେନ ରାଉତ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ କୁନ୍ତଳା ସତନାମୀଙ୍କୁ ସାକ୍ଷାତ କରି ସେମାନଙ୍କୁ ସରକାରୀ ସହାୟତା ଦେବା ସହ ଆଉ ପ୍ରବାସକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ “ପ୍ରବାସମୁକ୍ତ ଓ ଉନ୍ନତ ପଞ୍ଚାୟତ” ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande