



ସମ୍ବଲପୁର, ୦୬ , ଏପ୍ରିଲ୍ (ହି.ସ.) - ଆଜି ସମ୍ବଲପୁରସ୍ଥିତ ଉତରାଂଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରସ୍ଥ ଗଙ୍ଗାଧର ମେହେର ସମ୍ମିଳନୀ କକ୍ଷରେ ଉତରାଂଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ 'ପ୍ରଶାସନିକ ଓ ଶାସନ ସଂସ୍କାର' ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଗୁଳ, ଉପଜିଲ୍ଲାପାଳ ଦେବଗଡ, ଉତରାଂଚଳ ରାଜସ୍ୱ ବିଭାଗ ଅଧୀନରେ ଆସୁଥିବା ସମସ୍ତ ୧୨ ଜିଲ୍ଲାର ତହସିଲଦାର ମାନେ ଯୋଗ ଦେଇ ଆହୂତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ମୁଖ୍ୟତଃ ସାଧାରଣ ଜନତାଙ୍କୁ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ନୂତନ ସଂସ୍କାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରାଜସ୍ୱ କର ଆଦାୟ, ଜମି ଅଧିଗ୍ରହଣ, ଥଇଥାନ, ଜଙ୍ଗଲ ଜମି ଅଧିକାର, ବସୁନ୍ଧରା ଯୋଜନା, ଅନଧିକାର ପ୍ରବେଶ ବା ଜବରଦଖଲ, କଲମ ୨, ଜମି ଜମା ସଂସ୍କାର: ଦାଖଲ ଖାରଜ, କିସମ ପରିବର୍ତନ, ଜମି ବିଭାଜନ ଏବଂ ଜମି ଚିହ୍ନଟ ପ୍ରକ୍ରିୟାକୁ କିଭଳି ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହ ଆଇନଗତ ସଂସ୍କାର: ଓଡ଼ିଶା ଭୂ-ସଂସ୍କାର ଆଇନର କଡ଼ାକଡ଼ି ଅନୁପାଳନ ଏବଂ ଏଥିରେ ଥିବା ଜଟିଳତାକୁ ଦୂର କରିବା ପାଇଁ ପଦକ୍ଷେପ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉତରାଧିକାରୀ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ଇତ୍ୟାଦି ଅନ୍ୟାନ୍ୟ ପ୍ରମାଣପତ୍ର ହାସଲ କରିବାରେ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ବାଧାବିଘ୍ନ ଏବଂ ତାହାର ନିରାକରଣ ଉପରେ ଉତରାଂଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ।
ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର ଏବଂ ନୂଆପଡ଼ା ଜିଲ୍ଲାର ପ୍ରତିନିଧିମାନେ ନିଜ ନିଜ ଅଂଚଳର 'ବେଷ୍ଟ ପ୍ରାକ୍ଟିସେସ୍' ବା ସର୍ବୋତମ ସଫଳତା, ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଉକ୍ତ ସମସ୍ୟାର ସମାଧାନ ଉପରେ ନିଜସ୍ୱ ମତାମତ ଉପସ୍ଥାପନା କରିଥିଲେ। ରାଜସ୍ୱ ସେବା ବିତରଣକୁ ସୁଧାରିବା ପାଇଁ ପ୍ରତି ଜିଲ୍ଲାରୁ ଆସିଥିବା ପ୍ରସ୍ତାବଗୁଡ଼ିକୁ ସଂଗୃହିତ କରାଯାଇଛି। ସରକାରୀ ସ୍ତରରେ ଏହି ସୁପାରିଶ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯିବା ପାଇଁ ଉତରାଂଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହି ସଂସ୍କାର ମାଧ୍ୟମରେ ଆଗାମୀ ଦିନରେ ତହସିଲ ସ୍ତରୀୟ କାର୍ଯ୍ୟଗୁଡ଼ିକ ଅଧିକ ଶୃଙ୍ଖଳିତ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
ଏହି ଅବସରରେ ଆରଡ଼ିସିଙ୍କ ସଚିବ ଉପମା କାଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଆରଡ଼ିସିଙ୍କ ଅତିରିକ୍ତ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ