କଳିଙ୍ଗ ଷ୍ଟାଡିୟମରେ ୬୯ତମ ଏସଜିଏଫଆଇରଗବୀ ଚାମ୍ପିଅନସିପ୍
ଭୁବନେଶ୍ୱର, ୬ ଏପ୍ରିଲ (ହି.ସ)- ଓଡ଼ିଶାରେ ଆୟୋଜିତ ହେଉଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (ଏସଜିଏଫଆଇ ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ବିଭିନ୍ନ ରାଜ୍ୟର ରଗବୀ
କଳିଙ୍ଗ ଷ୍ଟାଡିୟମରେ ୬୯ତମ ଏସଜିଏଫଆଇରଗବୀ ଚାମ୍ପିଅନସିପ୍


ଭୁବନେଶ୍ୱର, ୬ ଏପ୍ରିଲ (ହି.ସ)- ଓଡ଼ିଶାରେ ଆୟୋଜିତ ହେଉଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (ଏସଜିଏଫଆଇ ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ବିଭିନ୍ନ ରାଜ୍ୟର ରଗବୀ ଖେଳାଳୀଙ୍କୁ ନେଇ ଓଡ଼ିଶାରେ ଜାତୀୟସ୍ତରୀୟ ଖେଳର ଆୟୋଜନ କରାଯାଇଛି । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଯୋଗ ଦେଇଥିଲେ । ଏଥିସହ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କରକରା, ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଜ୍ୟୋତି ପ୍ରସାଦ ପରିଡା, ଏସଜିଏଫଆଇ ପର୍ଯ୍ୟବେକ୍ଷକ ଅରବିନ୍ଦ ଯାଦବ, ଅନ୍ତର୍ଜାତୀୟ ରଗବି ଖେଳାଳୀ ଡୁମୁଣୀ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଚାମ୍ପିଅନସିପ ଏପ୍ରିଲ ୬ ରୁ ୧୦ ତାରିଖ ଯାଏଁ ଆୟୋଜିତ ହେବ ।

ଉଦଘାଟନୀ ସମାରୋହରେ ଯୋଗ ଦେଇ ମୁଖ୍ୟ ଅତିଥି କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଖେଳୁଆଡ ମନୋଭାବ ନେଇ ଖେଳିବା ଏବଂ ରାଜ୍ୟ ତଥା ଦେଶକୁ ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ୱ କରିବାକୁ ଯୁବ ଖେଳାଳୀମାନଙ୍କୁ ଆହ୍ୱାନ କରିଥିଲେ । ଏସଜିଏଫଆଇ ପର୍ଯ୍ୟବେକ୍ଷକ ଶ୍ରୀ ଯାଦବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସାଧୁବାଦ ଜଣାଇଥିଲେ । କଳିଙ୍ଗ ଷ୍ଟାଡିୟମ ଭଳି ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଚାମ୍ପିଅନସିପର ଆୟୋଜନ ନିମନ୍ତେ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ୍ ଜଣାଇବା ସହ ଆଗକୁ ଅନ୍ତର୍ଜାତୀୟସ୍ତରର ଖେଳ ଓଡିଶାରେ ଆୟୋଜନ କରିବେ ବୋଲି ଇଚ୍ଛାପ୍ରକାଶ କରିଥିଲେ । ସେହିପରି ଅନ୍ତର୍ଜାତୀୟ ରଗବି ଖେଳାଳୀ ଡୁମୁଣୀ ମାରାଣ୍ଡି ନିଜ ଅନୁଭୂତି ବାଣ୍ଟିଥିଲେ ।

ସୂଚନାଯୋଗ୍ୟ, ଏପ୍ରିଲ ୬ ଓ ୭ ତାରିଖ ରେ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କୁ ନେଇ ରଗବୀ ଚାମ୍ପିଅନସିପ୍ ଆୟୋଜିତ ହେଉଥିବା ବେଳେ ଏପ୍ରିଲ ୯ ଓ ୧୦ ତାରିଖରେ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକାମାନଙ୍କୁ ନେଇ ଆୟୋଜିତ ହେବ । ଏହି ଚାମ୍ପିଅନସିପ୍ ରେ ୧୫ ଟି ରାଜ୍ୟର ଖେଳାଳୀ ଭାଗ ନେଇଛନ୍ତି । ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ନୂଆଦିଲ୍ଲୀ, ଗୁଜୁରାଟ, ଜାମ୍ମୁ ଓ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ସିବିଏସଇ ୱେଲଫେୟାର ସ୍ପୋର୍ଟ୍ସ ଅର୍ଗାନାଇଜେସନ୍, କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ପକ୍ଷରୁ ପ୍ରାୟ ୪୬୦ ଜଣ ଅଂଶଗ୍ରହଣ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande