




ସମ୍ବଲପୁର,୦୬, ଏପ୍ରିଲ୍ (ହି.ସ.)
ଆଜି ସକାଳୁ ସକାଳୁ ଶିଳ୍ପ ସମୃଦ୍ଧ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳରେ ଥିବା ପ୍ରମୁଖ 'ଶ୍ଯାମ୍ ମେଟାଲିକ୍ସ' କାରଖାନା ଉପରେ ଏକ ଶକ୍ତ ପ୍ରଶାସନିକ ଚଡ଼କ ପଡ଼ିଛି । ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ 'ଶ୍ୟାମ୍ ମେଟାଲିକ୍ସ' କାରଖାନା ଫାଟକକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଦୀର୍ଘ ଦିନ ଧରି ଏହି କାରଖାନା ବିରୋଧରେ ପରିବେଶ ପ୍ରଦୂଷଣ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ମାତ୍ର କାରଖାନା କର୍ତ୍ତୃପକ୍ଷ ବିଜ୍ଞାପନ ଓ ମୋଟା ଅଙ୍କର ହାତଗୁଞ୍ଜା ଦେଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସୁଥିଲା । ଏପରିକି ପ୍ରଶାସନିକ ତଦନ୍ତକୁ ବାଟବଣା କରିଆସୁଥିବା ଶ୍ୟାମ୍ ମେଟାଲିକ୍ସ ବିରୋଧରେ ଏବେ କେନ୍ଦ୍ର ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଛାଟ ପଡ଼ିଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ନେତୃତ୍ୱରେ ଆଜି ସମ୍ବଲପୁର ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତିରେ କାରଖାନାକୁ ସିଲ୍ କରାଯାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟରତ ଶ୍ରମିକଙ୍କ ପକ୍ଷରୁ କାଳେ କୌଣସି ବଡ଼ ଧରଣର ଗଣ୍ଡଗୋଳ ବା ପ୍ରତିବନ୍ଧକ ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପୂର୍ବକ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିବା ମଧ୍ୟ ଜଣାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ