



ସମ୍ବଲପୁର, ୦୬, ଏପ୍ରିଲ୍ (ହି.ସ.) କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ବନ୍ଦ ନୋଟିସକୁ ଅଣଦେଖା କରି ଆସୁଥିବା ଶ୍ୟାମ୍ ମେଟାଲିକ୍ସ କାରଖାନାକୁ ଶେଷରେ ପ୍ରଶାସନ ସିଲ୍ କରିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ୍ ଜାରି କରିବାର ସପ୍ତମ ଦିନରେ ପ୍ରଶାସନିକ ତତ୍ପରତା ଆଜି ପ୍ରକାଶ ପାଇଥିଲା। ସୋମବାର ସକାଳ ୫ଟା ରେ ସଦର ଉପ ଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳି ପଣ୍ଡା , ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ, ସଦର ଉପ ଏସଡ଼ିପିଓ ତୋଫାନ ବାଗ, ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲାର ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅନ୍ତର୍ଗତ ପଣ୍ଡଲୋଇ ସ୍ଥିତ ଶ୍ୟାମ୍ ମେଟାଲିକ୍ସ କାରଖାନା ପରିସରରେ ପହଂଚି ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାରଖାନା ଭିତରକୁ କାହାକୁ ଛଡା ଯାଉନଥିଲେ ମଧ୍ୟ କାରଖାନାର ଅଫିସ କାର?୍ୟ୍ୟ କରିବା ପାଇଁ ଏହି ସିଲ୍ କଟକଣାରୁ ବାଦ୍ ଦିଆଯାଇଛି । ସୂଚନା ଯୋଗ୍ୟ, ବିଭିନ୍ନ ସମୟରେ ବିଭିନ୍ନ ଅଭିଯୋଗ ଏହି କାରଖାନା ବିରୋଧରେ ସ୍ୱର ଉତୋଳନ ହେଉଥିବା ବେଳେ ଗତ ମାସରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଏହି କାରଖାନାର ସ୍ଥିତାବସ୍ଥା ଯାଂଚ କରିଥିଲା।
ବିଶେଷ କରି ପରିବେଶ ତଥା ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣରେ କାରଖାନା କର୍ତୃପକ୍ଷଙ୍କ ବିଫଳତା, ବେଆଇନ ପାଉଁଶ ପରିଚାଳନା ଏବଂ ବିନା ଅନୁମତିରେ ବିଭିନ୍ନ ୟୁନିଟ୍ ଚଲାଇବା ଅଭିଯୋଗରେ ସିପିସିବି ପକ୍ଷରୁ ଗତ ମାସ ୩୦ ତାରିଖରେ ଏକ କ୍ଲୋଜର ନୋଟିସ୍ ଦିଆ ଯାଇଥିଲା। ଏହି ନୋଟିସ୍ ମିଳିବା ପରେ ମଧ୍ୟ ଗତ କିଛି ଦିନ ଧରି କାରଖାନା ଚାଲୁ ରହିଥିବା ଦେଖି ବହୁ ଅଭିଯୋଗକାରୀ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ପ୍ରଶାସନ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯିବା ପରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଆଶ୍ୱସ୍ତ ପ୍ରକାଶ ପାଇବା ସହ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ରୀୟ ବୋର୍ଡ ପରିବେଶ ସୁରକ୍ଷା ଆଇନ ୧୯୮୬ ର ଧାରା ୫ ଅନୁଯାୟୀ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅନ୍ତର୍ଗତ ପାଣ୍ଡଲୋଇ ସ୍ଥିତ ଶ୍ୟାମ୍ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡ୍କୁ ପରିବେଶ ସୁରକ୍ଷା ନେଇ କାହିଁକି ବନ୍ଦ କରାଯିବ ନାହିଁ ବୋଲି ନୋଟିସ୍ ଜାରି କରିଥିଲେ । ଇମେଲ୍ ଏବଂ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଜାରି କରାଯାଇଥିବା ଏହି ନୋଟିସ୍ରେ କୁହାଯାଇଛି ଯେ, ଏହି ଇସ୍ପାତ୍ କାରଖାନା ପରିବେଶକୁ ପ୍ରଦୂଷଣ କରୁଥିବା ୧୭ଟି ବର୍ଗ ମଧ୍ୟରୁ ଅନ୍ୟତମ। ଯାହାକି ପରିବେଶ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ କରୁଛି। ବାୟୁ ଗୁଣମାନ ଏବଂ ବାୟୁ ପ୍ରଦୂଷିତ କରୁଛି। କେନ୍ଦ୍ର ସରକାରଙ୍କ ପରିବେଶ ସୁରକ୍ଷା ଆଇନ ୧୯୮୬କୁ ଦୃଷ୍ଟିରେ ରଖି କାରଖାନା ପରିଚାଳନା କରିବାକୁ ନୋଟିସ୍ରେ ମଧ୍ୟ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ, ଏମ୍ଏସ୍ ଶ୍ୟାମ୍ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡ୍ ପରିଚାଳନା ନେଇ ୨୦୨୪ ଅଗଷ୍ଟ ୧ ତାରିଖରେ ସିପିସିବିର କୋଲକାତା ସ୍ଥିତ ଆଂଚଳିକ ନିର୍ଦ୍ଦେଶାଳୟର ଏକ ଟିମ୍ କାରଖାନା ପରିଦର୍ଶନ କରିଥିଲେ। ସେଠାରେ ସେମାନେ ପରିସ୍ଥିତି ଦେଖିଲା ପରେ ଗତବର୍ଷ ମେ’ ମାସ ୨୭ ତାରିଖରେ ଏକ ପରାମର୍ଶ ଜାରି କରିଥିଲେ। ଯେଉଁଥିରେ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ବର୍ଜ୍ୟ ବସ୍ତୁ ପରିଚାଳନା ନେଇ ଉଲ୍ଲେଖ ଥିଲା। ମାତ୍ର କାରଖାନା କର୍ତୃପକ୍ଷ ଏହାକୁ ସାମାନ୍ୟତମ ଗୁରୁତ୍ୱ ଦେଇନଥିଲେ ।
ଏବେ ଏହି ଶିଳ୍ପ ସଂସ୍ଥା ଉପରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିର୍ଭର କରି ଆସୁଥିବା ଶହ ଶହ ପରିବାର ଏବେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି। ଗୋଟିଏ ପଟେ ପରିବେଶ ସୁରକ୍ଷା ପାଇଁ କାରଖାନା ବନ୍ଦ ହେବା ଅନିବାର୍ଯ୍ୟ ଥିବାବେଳେ, ଅନ୍ୟପଟେ ଶ୍ରମିକମାନଙ୍କ ଆର୍ôଥକ ଅବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଦେଖିବାକୁ ବାକି ରହିଲା କାରଖାନା କର୍ତୃପକ୍ଷ କେବେ ସିପିସିବିର ସମସ୍ତ ସର୍ତାବଳୀ ପୂରଣ କରୁଛନ୍ତି ଏବଂ ଏହି ବନ୍ଦ ପ୍ରକ୍ରିୟା କେତେ ଦିନ ପର୍ଯ୍ୟନ୍ତ ବଳବତର ରହିବ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ