
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ôଥକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ। ସେମାନେ ବିଭିନ୍ନ ଆର୍ôଥକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ଜାତୀୟ ଆର୍ôଥକ ଶିକ୍ଷା କେନ୍ଦ୍ର (ଏନ୍ସିଏଫ୍ଇ) ସହ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ( ପିଏସଏସଏସ) ମଧ୍ୟରେ ଏକ ଚୁକ୍ତିନାମା ସୋମବାର ସ୍ୱାକ୍ଷରିତ ହୋଇଛି ।
ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକଙ୍କ ଉପସ୍ଥିତିରେ ପଂଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ଏହାର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ ଶ୍ରୀମତୀ ଅନନ୍ୟା ଦାସ ଓ ଏନସିଏଫ୍ଇ ପକ୍ଷରୁ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ଚନ୍ଦ୍ର ଜେନା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ, ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟ ରଖି ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୭୩୬ଟି ବିଦ୍ୟାଳୟରେ ପ୍ରଚଳନ କରାଯିବ । ଏହି କାର୍ଯ୍ୟକ୍ରମର ବ୍ୟାପକ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ପ୍ରଚାର କରିବା ସହ ସେମାନଙ୍କ ମଧ୍ୟରେ ଆର୍ôଥକ କାରବାର ପରିଚାଳନା ଦକ୍ଷତାର ବିକାଶ କରିବା ଯାହାଦ୍ୱାରା ସେମାନଙ୍କର ଉଦ୍ୟୋଗିକ ଦକ୍ଷତା ବୃଦ୍ଧି ପାଇବ ।
ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକସ୍ତରରୁ ଟଙ୍କା, ସଂଚୟ, ବଜେଟ୍ ପରିଚାଳନା, ବ୍ୟାଙ୍କିଂ, ନିବେଶ, ଟିକସ, ଅର୍ଥ କାରବାର ଓ ଆର୍ôଥକ ଦାୟିତ୍ୱବୋଧ ସମ୍ପର୍କିତ ଜ୍ଞାନ ଆହରଣ କରିବେ। ଏହା ତାଙ୍କୁ ଭବିଷ୍ୟତରେ ସଚେତନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ ଲାଗୁ ହେବା ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆର୍ôଥକ ସାକ୍ଷରତା ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା ସେମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତମ ଭାବରେ ଶିକ୍ଷା ଦାନ କରିପାରିବେ । ଏନସିଏଫ୍ଇ ଅଧୀନରେ ଚିହ୍ନଟ ବିଦ୍ୟାଳୟଗୁଡ଼ିକୁ “ମନି ସ୍ମାର୍ଟ ସ୍କୁଲ୍” ଭାବେ ପ୍ରମାଣିତ କରାଯିବାର ବ୍ୟବସ୍ଥା ରହିଛି। ଏହି ସହଯୋଗ ଓଡ଼ିଶା ସରକାରଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଦକ୍ଷତାରେ ସଶକ୍ତ କରିବାରେ ଆଉ ଗୋଟିଏ ମାଇଲଖୁଂଟ। ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ପିଏସଏସଏସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜ ଲକ୍ଷ୍ମୀ ଦାଶ ଉପସ୍ଥିତ ଥିଲେ ।
.........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା