
ନୂଆ ଦିଲ୍ଲୀ, 07 ଏପ୍ରିଲ (ହି.ସ.)। ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧର ପ୍ରଭାବରେ
ଦେଶରେ ରୋଷେଇ ଗ୍ୟାସ ସପ୍ଲାଇରେ ସମସ୍ୟା ସୃଷ୍ଟି ହେଉଥିବା ସମୟରେ କେନ୍ଦ୍ର ସରକାର 5
କିଲୋଗ୍ରାମର ଛୋଟ ଏଲପିଜି ଗ୍ୟାସ ସିଲିଣ୍ଡର (ଫ୍ରି ଟ୍ରେଡ୍ ଏଲପିଜି-ଏଫଟିଏଲ) ର ସପ୍ଲାଇ
କୋଟାକୁ ଦୁଇଗୁଣା କରିବାକୁ ଘୋଷଣା କରିଛନ୍ତି।
5 କିଲୋଗ୍ରାମର ଏହି ଫ୍ରି ଟ୍ରେଡ୍ ଏଲପିଜି ସିଲିଣ୍ଡରର କୋଟା
ବୃଦ୍ଧିର ଲାଭ ସେମାନଙ୍କୁ ମିଳିବ, ଯେଉଁମାନେ ଗାଁରୁ ରୋଜଗାର କିମ୍ବା ପଢ଼ାପଢି ପାଇଁ ସହରକୁ ଆସନ୍ତି
ଏବଂ ଖାଦ୍ୟ ରୋଷେଇ କରିବା ପାଇଁ କନେକ୍ସନ୍ ବିନା ଏହି ଛୋଟ ସିଲିଣ୍ଡର ବ୍ୟବହାର କରନ୍ତି।
ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ଜାରି ନୋଟିଫିକେସନ୍ ଅନୁସାରେ, 5 କିଲୋଗ୍ରାମର ଛୋଟ
ଗ୍ୟାସ ସିଲିଣ୍ଡରର କୋଟାକୁ ଦୁଇଗୁଣା କରିବା ପାଇଁ ପୂର୍ବ ମାସର 2 ଓ 3 ତାରିଖ (2 ଓ 3 ମାର୍ଚ୍ଚ)
ରେ ଓପେନ୍ ମାର୍କେଟ୍ରେ ସପ୍ଲାଇ ହୋଇଥିବା ସିଲିଣ୍ଡର ସଂଖ୍ୟାକୁ ଆଧାର ଭାବେ ଧରାଯିବ।
ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, 5 କିଲୋଗ୍ରାମର ଏହି
ଛୋଟ ଏଫଟିଏଲ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗମାନଙ୍କୁ ଯୋଗାଇ
ଦିଆଯିବ ଏବଂ ଏହାର ସପ୍ଲାଇ କେବଳ ପ୍ରବାସୀମାନଙ୍କ ପାଇଁ ହେବ।
ଏହି ଛୋଟ ସିଲିଣ୍ଡର ପାଇଁ ସ୍ଥାୟୀ ଗ୍ୟାସ କନେକ୍ସନ୍ ନେବାର
ଆବଶ୍ୟକତା ନାହିଁ। ଦୂର ଗ୍ରାମ ଅଞ୍ଚଳରୁ ସହରକୁ ପଢ଼ିବା କିମ୍ବା କାମ କରିବା ପାଇଁ ଆସିଥିବା
ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନେ ସ୍ଥାୟୀ ଠିକଣା ପ୍ରମାଣ ପତ୍ର ଦେବା ପରିବର୍ତ୍ତେ କେବଳ
ବୈଧ ପରିଚୟ ପତ୍ର ଦେଖାଇ ସିଲିଣ୍ଡର ପାଇ ପାରିବେ।
ଏହା ସହିତ, ସହରରେ ଅସ୍ଥାୟୀ ଭାବେ ରହୁଥିବା ଲୋକମାନେ, ଯେଉଁମାନଙ୍କ
ପାଖରେ ସ୍ଥାୟୀ ଠିକଣା ନଥାଏ,
ସେମାନେ ମଧ୍ୟ ବୈଧ
ପରିଚୟ ପତ୍ର ଦେଖାଇ ଏହି ସିଲିଣ୍ଡର ନେଇପାରିବେ। ଏହି କାରଣରୁ ସହରରେ ରହୁଥିବା ପ୍ରବାସୀ
ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ପାଇଁ 5 କିଲୋଗ୍ରାମର ଏହି ଗ୍ୟାସ ସିଲିଣ୍ଡର ବହୁତ ଉପଯୋଗୀ ସାବ୍ୟସ୍ତ
ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା