ଉତ୍ପାଦନ ବୃଦ୍ଧି କରିବାକୁ ଖଣି ଲିଜ୍ ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଶିଳ୍ପପତି ମାନଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଖଣି ଲିଜ୍ଧାରୀ ଓ ଶିଳ୍ପପତି ମାନ
ଉତ୍ପାଦନ ବୃଦ୍ଧି କରିବାକୁ ଖଣି ଲିଜ୍ ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ


ଶିଳ୍ପପତି ମାନଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଖଣି ଲିଜ୍ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ଲୋକସେବା ଭବନ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଳ୍ପାୟନ ଏବଂ ଦେଶରେ ଲୁହାପଥରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ପରିମାଣରେ ଲୁହାପଥର ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଓ ଶିଳ୍ପ ପ୍ରତିନିଧି ମାନଙ୍କୁ ଆଶ୍ୱାସନା ଦେଇଥିଲେ। ଉତ୍ପାଦନ ଓ ଡେସ୍ ପ୍ୟାଚ୍ ପ୍ରତି ଗୁରୁତ୍ୱ ଦେଇ ଏମଡିପିଏ ଅନୁଯାୟୀ ସର୍ବନିମ୍ନ ବାଧ୍ୟତାମୂଳକ ସୀମାକୁ ଦୃଷ୍ଟି ରେ ରଖି ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଥିଲା।

ରାଜ୍ୟରେ ଖଣି ବହୁଳ ଜିଲ୍ଲା ଗୁଡିକରେ ଶିଳ୍ପ ସଂଖ୍ୟା ବହୁତ କମ ରହୁଛି। ତେଣୁ ସେସବୁ ଜିଲ୍ଲା ଗୁଡିକରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ମାନଙ୍କୁ ଆହ୍ୱାନ ଦେଇଥିଲେ। ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକୀୟ ସମସ୍ତ ସୁବିଧା ସୁଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଥିଲେ। ଏଥି ସହିତ ଶିଳ୍ପପତି ମାନେ ସ୍ଥାନୀୟ ବାସିନ୍ଦାଙ୍କର ମୌଳିକ ଆବଶ୍ୟକତା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଥିଲେ।

ଶିଳ୍ପ ପ୍ରତିଷ୍ଠା ପାଇଁ ବାଧ୍ୟତାମୂଳକ ବନୀକରଣ କ୍ଷେତ୍ରରେ ବିଭିନ୍ନ ଜିଲ୍ଲାରେ ଅଧିକୃତ ଜମି ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଉଛି, ଯାହା ଜରିଆରେ କେଉଁ ଜିଲ୍ଲାରେ କେତେ ଜମି ଉପଲବ୍ଧ ଅଛି ଖଣି ଲିଜ୍?ଧାରୀ ଓ ଶିଳ୍ପପତିମାନେ ସେ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା କରାଯିବ ବୋଲି ସୂଚନା ଦିଆଗଲା।

ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତା ଭାବ ପାଇଁ ଧନ୍ୟବାଦ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଟାଟା ଷ୍ଟିଲ୍?ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ, ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନର ମହାସଚିବ ଆଲୋକ ସହାୟ, ଜେଏସଡବ୍ଲୁ ସଭାପତି ଅନୀଲ କୁମାର ସିଂ ଏଏମଏନଏସ୍ ଇଣ୍ଡିଆ ର ନିର୍ଦ୍ଦେଶକ ଆଲୋକ କୁମାର ମେହେଟ୍ଟା, ଓଏମ୍?ସିର ଅଧ୍ୟକ୍ଷ ଶ୍ରୀ ଗିରିଶ ଏସ୍ ଏନ୍, ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ସାମଲ ଏବଂ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପ ପ୍ରତିନିଧି ମାନେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande