
ଭୁବନେଶ୍ୱର, ୦୭ ଏପ୍ରିଲ (ହି.ସ.)- ରାୟଗଡ଼ା ଜିଲ୍ଲାର ସିଜିମାଳି ଅଂଚଳରେ ୭ ଏପ୍ରିଲ ଭୋର ସମୟରେ ଘଟିଥିବା ପୋଲିସ୍ ଦମନ ଉପରେ ସି.ପି.ଆଇ.(ଏମ୍) ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ତୀବ୍ର ନିନ୍ଦା କରିଛି । ଭୋର ପ୍ରାୟ ୩ଟା ସମୟରେ ସଶସ୍ତ୍ର ପୋଲିସ୍ ବାହିନୀ କଣ୍ଟାମାଳ ଗାଁକୁ ଘେରାଉ କରି ପ୍ରଥମେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ । ପରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ, ଘରଦ୍ୱାର ଭାଙ୍ଗିବା ଓ ବ୍ଲାଙ୍କ ଫାୟାରିଂ ମାଧ୍ୟମରେ ଗ୍ରାମବାସୀଙ୍କୁ ଭୟଭୀତ କରଯାଇଥିଲା। ଏହି ଆକ୍ରମଣ ସମୟରେ ପୁରୁଷ ଓ ମହିଳାମାନଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି ଏବଂ ଲୁହାବୁହା ଗ୍ୟାସ୍ ପ୍ରୟୋଗରେ ଗୋଟିଏ ପଶୁର ପ୍ରାଣହାନୀ ଘଟିଥିବା ଖବର ମିଳିଛି । ଏହା ମାନବିକତାକୁ ଲଂଘନ କରୁଛି ଏବଂ ଅତ୍ୟନ୍ତ ନିନ୍ଦନୀୟ।ନିର୍ମମ ଖଣି ଖନନ, ବଳପ୍ରୟୋଗ କରି ଜମି ଅଧିଗ୍ରହଣ, ନିଷ୍ଠୁର ଦମନ ଏବଂ ଅମାନବୀୟ ବିସ୍ଥାପନ ବିରୋଧରେ ପ୍ରତିରୋଧ ସଂଗ୍ରାମ ଆହୁରି ତୀବ୍ର ହେବ ବୋଲି ସି.ପି.ଆଇ.(ଏମ୍) ତରଫରୁ କୁହାଯାଇଛି ।
ଏହି ପରିସ୍ଥିତିରେ ସି.ପି.ଆଇ.(ଏମ୍) ନିମ୍ନଲିଖିତ ଦାବିମାନ ଉଠାଇଛି । ଧାରା ୧୬୩ (ବି.ଏନ୍.ଏସ୍.) (ପୂର୍ବ ଆଇନ୍ର ଧାରା ୧୪୪ ଅନୁଯାୟୀ) ଜାରି ଜନିତ ନିଷେଧାଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ । ଗ୍ରାମସଭାର ଅନୁମତି ବିନା ଖଣି ଖନନ ପ୍ରକ୍ରିୟା ଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀତା ବନ୍ଦ କରାଯାଉ। ବେଦାନ୍ତ କମ୍ପାନୀ ପାଇଁ ହେଉଥିବା ରାସ୍ତା ନିର୍ମାଣକୁ ତୁରନ୍ତ ବନ୍ଦ କରାଯାଉ । ସିଜିମାଳି ଅଞ୍ଚଳରୁ ପୋଲିସ୍ ମୁତୟନ ପ୍ରତ୍ୟାହାର କରାଯାଉ ଓ ଦମନ ବନ୍ଦ କରାଯାଉ । ଲିଙ୍ଗରାଜ ଆଜାଦ ସମେତ ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରି ସେମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ । ପେସା ଓ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ। ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରନ୍ତୁ।
ଏହି ପରିପ୍ରେକ୍ଷୀରେ ସି.ପି.ଆଇ.(ଏମ୍) ସତର୍କ କରାଇ ଦେଉଛି ଯେ ଆଦିବାସୀମାନଙ୍କର ଜଳ-ଜମି-ଜଙ୍ଗଲ ଓ ଜୀବନ-ଜୀବିକା ଉପରେ ଏପରି ଆକ୍ରମଣ ବନ୍ଦ ନହେଲେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ ଗଢି ଉଠିବ ଏବଂ ଏଥିପାଇଁ ସରକାର ହିଁ ଦାୟୀ ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା