ଘୂର୍ଣ୍ଣିଝଡ଼ ସହିତ କୁଆପଥର ବୃଷ୍ଟି, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ
ପାଟଣା, ୭ ଏପ୍ରିଲ୍ (ହି.ସ.)କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ବ୍ଲକ ଅନ୍ତର୍ଗତ ଗ୍ରାମ ଗୁଡିକରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବୃଷ୍ଟି ଯୋଗୁଁ ଅନେକ ଲୋକଙ୍କ କ୍ଷୟକ୍ଷତି ହୋଇଛି। ଆଜି ଠିକ୍ ଦିନ ୨ ଟା ବେଳେ ପବନ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଥିଲା। ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ଭୂମିଜସାହି , କୁସୁନପୂ
ଘୂର୍ଣ୍ଣିଝଡ଼ ସହିତ କୁଆପଥର ବୃଷ୍ଟି, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ


ପାଟଣା, ୭ ଏପ୍ରିଲ୍ (ହି.ସ.)କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ବ୍ଲକ ଅନ୍ତର୍ଗତ ଗ୍ରାମ ଗୁଡିକରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବୃଷ୍ଟି ଯୋଗୁଁ ଅନେକ ଲୋକଙ୍କ କ୍ଷୟକ୍ଷତି ହୋଇଛି। ଆଜି ଠିକ୍ ଦିନ ୨ ଟା ବେଳେ ପବନ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଥିଲା। ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ଭୂମିଜସାହି , କୁସୁନପୂର, ମହାନ୍ତସାହି, ମଲ୍ଲିପଶି, ଭାଲୁଘର , ମୁସାନାଳି, ରଥପଡା, ବୁଢ଼ାଟାଙ୍ଗର ଗ୍ରାମ ସହିତ ଭାଲିଆଡାଳ, ଅସନବାଆଳି, କୋଟାବେଡା, ସ୍ୱାମପାଟଣା, ଜାଟିପଡ଼ା, କୂଆପୋଷି, ମଙ୍ଗଳଫୁର ଆଦି ଗ୍ରାମର ଲୋକମାନଙ୍କ ଘରର ଚାଳ, ଛପର ,ଟାଇଲ୍, ଆଜବେଷ୍ଟସ୍, କୁଆ ପଥର ମାଡ଼ରେ ଭାଙ୍ଗି ଯିବା ସହିତ ପବନରେ ଉଡେଇ ନେଇଯାଇଛି। ଲୋକମାନେ ବେସାହାରା ହୋଇ ଯାଇଥିବାବେଳେ ଖାଦ୍ୟ ପଦାର୍ଥ ସବୁ ନଷ୍ଟଭ୍ରଷ୍ଟ ହୋଇଯାଇଛି। ତେଣୁ ସ୍ଥାନୀୟ ଲୋକେ ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତାରୋକ କରିଥିଲେ । ଶହଶହ ପୁରୁଷ ମହିଳା ରାଜପଥ ଉପରେ କ୍ଷତିପୂରଣ ଦାବିକରି ରାଜପଥ ଅବରୋଧ କରିଥିଲେ । ସ୍ଥାନୀୟ ସରପଞ୍ଚ ଭାମମାଣି ଦାସ ଲୋକ ମାନଙ୍କ ପାଖରେ ପହଞ୍ଚି ତାଙ୍କୁ ଆଶ୍ୱାସନା ଦେବା ସହିତ କ୍ଷୟକ୍ଷତି ଉପରେ ତର୍ଜମା କରୁଛନ୍ତି। ଜାତୀୟ ରାଜପଥ ଉପରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଛିଡାହୋଇ ରହିଥିବା ବେଳେ ଲୋକମାନେ ଉତ୍ୟକ୍ତ ହେବାରୁ ଖବରପାଇ ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାସ, ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ତହସିଲଦାର ଅଶ୍ୱିନ କୁମାର ନାୟକ, ବିଡିଓ ମାନସ କୁମାର ଦଣ୍ଡପାଟ, ସମାଜସେବୀ ବିଶ୍ୱନାଥ ନାୟକ ପ୍ରମୁଖ ଆସି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଶେଷରେ ତହସିଲଦାର ତଦନ୍ତ କରି ସଠିକ ଲୋକଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସଙ୍ଗେ ସଙ୍ଗେ ଏକ ତଦନ୍ତ ଟିମ୍ ଗାଁ ଗାଁ ବୁଲି କ୍ଷୟକ୍ଷତି ଉପରେ ତଦନ୍ତ ଆରମ୍ଭ କରିଥିଲେ। ତେବେ ଆଜିର ଘୂର୍ଣ୍ଣିଝଡ଼ ଓ କୁଆପଥର ବୃଷ୍ଟି ଯୋଗୁଁ ମଲ୍ଲିପଶି ଅଞ୍ଚଳର ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇ ଥିବା ଜଣା ପଡିଛି। ଅନେକ ଲୋକ ବେସାହାରା ହୋଇଛନ୍ତି। ତାଙ୍କୁ ସାହାରା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande